Categories: ଖେଳ

ନ୍ୟୁଜିଲାଣ୍ଡର ମହତ୍ତ୍ୱପୂର୍ଣ୍ଣ ଇନିଂସ ଅଗ୍ରଣୀ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମହତ୍ତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୪୪ ରନରେ ସୀମିତ ରହିଥିଲା। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓପନର୍‌ ଟମ୍‌ ଲଥାମ୍‌ଙ୍କ ଦମ୍‌ଦାର ଶତକ ବଳରେ ରବିବାର ୪ର୍ଥ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୫ ଉଇକେଟ୍‌ ହରାଇ ୩୮୨ ରନ୍‌ ସଂଗ୍ରହ କରିଛି। ଫଳରେ ହାତରେ ଆଉ ୫ ଉଇକେଟ୍‌ ସୁରକ୍ଷିତ ରହିଥିବାବେଳେ କେନ୍‌ ଓ୍ବିଲିୟମସନଙ୍କ ଦଳ ୧୩୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ସୋମବାର ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ୍‌ ଡ୍ର’ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ନୂଆ ନିୟମ ଅନୁଯାୟୀ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ନ୍ୟୁଜିଲାଣ୍ଡ ପଏଣ୍ଟ ଖାତା ଖୋଲିବ ଏକପ୍ରକାର ସ୍ପଷ୍ଟ ହୋଇଛି।
ଅସମାପ୍ତ ସ୍କୋର ୧୯୬/୪ରୁ ଖେଳ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ରବିବାର ବର୍ଷା ଯୋଗୁ ପୁରା ଦିନରେ ୪୮ ଓଭର ଖେଳିପାରିଥିଲା। ଓପନର୍‌ ଟମ୍‌ ଲଥାମ୍‌ ନିଜ ସ୍କୋରରେ ଆଉ ୪୩ ରନ୍‌ ଯୋଡ଼ି ୧୫୪ ରନରେ ଆଉଟ୍‌ ହୋଇଥିଲେ। ୨୫୧ ବଲର ସାମ୍ନା କରିଥିବା ବାମହାତୀ ଲଥାମ୍‌ ଇନିଂସରେ ୧୫ ଚୌକା ମାରି ଦିଲରୁଓ୍ବାନା ପେରେରାଙ୍କ ବଲରେ ଏଲ୍‌ବିଡବ୍ଲୁ ହୋଇଯାଇଥିଲେ। ଏହାପରେ ଉଇକେଟ୍‌କିପର ବିଜେ ଓ୍ବାଟ୍‌ଲିଙ୍ଗଙ୍କ ସହ ମିଶି କଲିନ ଡି ଗ୍ରାଣ୍ଡହୋମ୍‌ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦୁହେଁ ସତର୍କତାର ସହ ବ୍ୟାଟିଂ କରି ଷ୍ଟମ୍ପ୍ସ ଅପସାରଣ ପର୍ଯ୍ୟନ୍ତ ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ। ଖେଳ ଶେଷବେଳକୁ ଓ୍ବାଟ୍‌ଲିଙ୍ଗ୍‌ ୮୧ (୨୦୮ ବଲ୍‌) ଓ ଦ୍ରୁତ ବ୍ୟାଟିଂ କରୁଥିବା ଗ୍ରାଣ୍ଡହୋମ୍‌ ୮୩ (୭୫ ବଲ୍‌, ୫ ଚୌକା, ୫ ଛକା) ରନରେ ଅପରାଜିତ ରହିଛନ୍ତି। ଅସମାପ୍ତ ୬ ଉଇକେଟ୍‌ ଯୋଡ଼ିରେ ଉଭୟଙ୍କ ମଧ୍ୟରେ ୧୧୩ ରନର ଭାଗୀଦାରି ହୋଇଛି। ଘରୋଇ ଦଳ ପକ୍ଷରୁ ପେରେରା ସର୍ବାଧିକ ୩ଟି ଉଇକେଟ୍‌ ନେଇଛନ୍ତି। ପୂର୍ବରୁ ଧନଞ୍ଜୟ ଡି ସିଲ୍‌ଭା (୧୦୯)ଙ୍କ ଶତକ ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୪୪ ରନ କରିଥିଲା। ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ଜିତି ଶ୍ରୀଲଙ୍କା ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

Share