Categories: ଖେଳ

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏଲିସ୍‌ ୨୦୧୨ରେ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ପଦାର୍ପଣ କରି ଅନ୍ତର୍ଜତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସୀମିତ କ୍ୟାରିୟରରେ ସେ ନ୍ୟୁଜିଲାଣ୍ଡ ପାଇଁ ୧୫ ଦିନିକିଆ ଓ ୫ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୫୪ ଓ ୨୫ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ବୋଲିଂରେ ଦିନିକିଆରେ ୧୨ ଓ ଟି୨୦ରେ ୨ଟି ଉଇକେଟ୍‌ ସଫଳତା ପାଇଛନ୍ତି। ତେବେ ଘରୋଇ କ୍ରିକେଟ୍‌ରେ ଏଲିସ୍‌ ବେଶ୍‌ ସକ୍ରିୟ ରହିଥିଲେ। ସେ ୧୦୫ ପ୍ରଥମ ଶ୍ରେଣୀ, ୧୦୯ ଲିଷ୍ଟ-ଏ ମ୍ୟାଚ୍‌ ଏବଂ ୧୧୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ତିନୋଟି ଯାକ ଫର୍ମାଟ୍‌ରେ ସେ ମୋଟ୍‌ ୮୬୪୪ ରନ୍‌ ଏବଂ ୪୯୪ ଉଇକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଇତିହାସରେ ୨ୟ କ୍ରିକେଟର୍‌ ଭାବେ ଏଲିସ୍‌ ଘରୋଇ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିବାର କୃତିତ୍ୱ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ ଟଡ୍‌ ଆଷ୍ଟଲ ଏହି କ୍ଲବରେ ସାମିଲ ହୋଇଥିଲେ। କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀର ସେ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡ ମଧ୍ୟ ରହିଥିଲେ। ଏଲିସ୍‌ ବୋଲିଂ କରୁଥିବାବେଳେ ସର୍ବଦା ହେଲ୍‌ମେଟ୍‌ ପିନ୍ଧିଥାନ୍ତି। ଏଥିଲାଗି ସେ ବେଶ୍‌ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ତେବେ ତାଙ୍କ ହେଲ୍‌ମେଟ୍‌ ପିନ୍ଧା ପଛରେ ଏକ କାରଣ ରହିଛି। ୨୦୧୮ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡର ଘରୋଇ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଏଲିସ୍‌ଙ୍କ ବଲ୍‌କୁ ଜିତ୍‌ ରାଭାଲ ଜୋର୍‌ଦାର ପ୍ରହାର କରିଥିଲେ। ଶଟ୍‌ଟି ଏତେ ଶକ୍ତିଶାଳୀ ଥିଲା ଯେ ଫଲୋଥ୍ରୁ’ରେ ଏଲିସ୍‌ ମୁଣ୍ଡରେ ବାଜି ପଡ଼ିଆ ବାହାରକୁ ଚାଲିଯାଇଥିଲା। ଅମ୍ପାୟର ଏହାକୁ ଛକା ଘୋଷଣା କରିଥିଲେ। ରାଭାଲ ଏଥିରେ ସାମାନ୍ୟ ଆଘାତ ପାଇଥିଲେ ମଧ୍ୟ ପରେ ବୋଲିଂ କଲାବେଳେ ସର୍ବଦା ବେସ୍‌ବଲରେ ବ୍ୟବହାର କରାଯାଉଥିବା ହେଲ୍‌ମେଟ୍‌ ପିନ୍ଧିଥାନ୍ତି।

Share