Categories: ଖେଳ

ନ୍ୟୁଜିଲାଣ୍ଡ ଗସ୍ତ ନେଇ ଚିନ୍ତାରେ ବିସିସିଆଇ

ମୁମ୍ବାଇ,୪ା୧- ଚଳିତବର୍ଷ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଆୟୋଜନ କରିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଲମ୍ବା ସିରିଜ୍‌ ଖେଳିବ। ସେଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌, ୩ ଦିନିକିଆ ଓ ଦୁଇ ଟେଷ୍ଟ ସିରିଜ୍‌ ଖେଳାଯିବ। ଏଥିପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳର ସୁରକ୍ଷା ନେଇ ବିସିସିଆଇ ଚିନ୍ତା ପ୍ରକଟ କରିଛି। ଏ ସମ୍ପର୍କରେ ବିସିସିଆଇ ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ସାଧାରଣତଃ ନ୍ୟୁଜିଲାଣ୍ଡକୁ ସୁରକ୍ଷିତ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ। ମାତ୍ର ଟିମ୍‌ ଇଣ୍ଡିଆର ସୁରକ୍ଷା ନେଇ ଟିକେ ବି ରିସ୍କ ନେବାକୁ ଚାହୁଁନାହିଁ। ଭାରତୀୟ ଦଳ ପୂର୍ବରୁ ଇଣ୍ଡିଆ ଏ’ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ତେବେ ବିସିସିଆଇର ଚିନ୍ତାର କାରଣ ହେଉଛି, ଗତବର୍ଷ ମାର୍ଚ୍ଚରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଦୁଇ ମସ୍‌ଜିଦରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୫୦ ଜଣ ପ୍ରାଣ ହରାଇଥିଲେ। ଆକ୍ରମଣରୁ ବାଂଲାଦେଶ ଦଳ ଅଳ୍ପକେ ବର୍ତ୍ତି ଯାଇଥିଲା। ଏଣୁ ଦ୍ୱିତୀୟ ଟେଷ୍ଟ ବାତିଲ ମଧ୍ୟ କରାଯାଇଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଡେଭିଡ ହ୍ବାଇଟ କହିଛନ୍ତି, ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଥିବା ସମସ୍ତ ଦଳର ସୁରକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ବଢ଼ାଇ ଦିଆଯାଇଛି। ଆଉ ସୁରକ୍ଷା ବ୍ୟବସ୍ଥା ତଥ୍ୟ କାହାକୁ ଦିଆଯିବ ନାହିଁ। କାରଣ ସମସ୍ୟା ହୋଇପାରେ। ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛୁ। ଏଥିନେଇ ବିସିସିଆଇ ସହ ଆଲୋଚନା ଚାଲିଛି। କେବଳ ସୁରକ୍ଷା ନୁହେଁ, ଖେଳାଳିଙ୍କ ଖାଦ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଭାରତୀୟ ଦଳର ବହୁ ଖେଳାଳି ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି। ଆଉ ନ୍ୟୁଜିଲାଣ୍ଡରେ ନିରାମିଷ ଖାଦ୍ୟ ମିଳେନାହିଁ।

Share