Categories: ଖେଳ

ନ୍ୟୁଜିଲାଣ୍ଡ ଟୁର୍‌: ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୧୫।୧ (ପି.ଟି.)- ଚଳିତ ମାସ ଶେଷଭାଗରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ମଙ୍ଗଳବାର ଷ୍ଟ୍ରାଇକର୍‌ ରାଣୀ ରାମପାଲଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାରୁ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ସ୍ଥାନ ପାଇଛନ୍ତି। ଗୋଲକିପର ସବିତାଙ୍କୁ ଉପ-ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଜାନୁୟାରୀ ୨୫ରେ ନ୍ୟୁଜିଲାଣ୍ଡ ଡେଭଲପ୍‌ମେଣ୍ଟ ସ୍କ୍ବାଡ୍‌ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଏହାପରେ ଜାନୁୟାରୀ ୨୭ ଓ ୨୯ରେ ନ୍ୟୁଜିଲାଣ୍ଡ ମହିଳା ଦଳକୁ ଭେଟିବ ଭାରତ। ଫେବୃୟାରୀ ୪ରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଏବଂ ୫ରେ ନ୍ୟୁଜିଲାଣ୍ଡ ସହ ଖେଳି ଭାରତ ଏହାର ନ୍ୟୁଜିଲାଣ୍ଡ ଗସ୍ତ ସମାପ୍ତ କରିବ। ‘ଏହି ଟୁର୍‌ରେ ଖେଳାଳିଙ୍କ ମଧ୍ୟରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିପାଇଁ ଆମେ ୨୦ ଜଣିଆ ଦଳ ଘୋଷଣା କରିଛୁ। କିନ୍ତୁ ଅଲିମ୍ପିକ୍ସ ଓ ଅନ୍ୟ କେତେକ ପ୍ରତିଯୋଗିତାରେ ଆମେ ୧୬ କିମ୍ବା ୧୮ ଜଣିଆ ଦଳ ନେଇ ଖେଳିଥାଉ। ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ’ ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି।
ଭାରତୀୟ ମହିଳା ହକି ଦଳ: ରାଣୀ ରାମପାଲ (ଅଧିନାୟିକା), ସବିତା (ଉପ-ଅଧିନାୟିକା), ରାଜିନି ଏତିମାରପୁ, ଦୀପଗ୍ରେସ ଏକ୍କା, ଗୁର୍‌ଜିତ୍‌ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶୀଳା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ, ନେହା, ମୋନିକା, ଶର୍ମିଳା ଦେବୀ, ନବନୀତ୍‌ କୌର, ଲାଲରେମସିଆମି, ବନ୍ଦନା କାଟାରିୟା ଓ ନବଜୋତ୍‌ କୌର।

Share