Categories: ଖେଳ

ନ୍ୟୁଜିଲାଣ୍ଡ ଦଳରୁ ଆହତ ବୋଲ୍ଟ, ଫର୍ଗୁସନ ବାଦ୍‌

ଓ୍ବେଲିଂଟନ, ୧୬।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଲାଗି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସମେତ ଲୋକି ଫର୍ଗୁସନ ଘୋଷିତ ୧୪ ଜଣିଆ ନ୍ୟୁଜିଲାଣ୍ଡ ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ହାମିସ ବେନ୍ନେଟ୍ଟ ଦୀର୍ଘ ଅଢ଼େଇ ମାସ ବ୍ୟବଧାନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୨ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ବେନ୍ନେଟ୍ଟେ ନ୍ୟୁଜିଲାଣ୍ଡ ପକ୍ଷରୁ ୧୬ ଦିନିକିଆ ଖେଳି ୨୭ ଉଇକେଟ୍‌ ନେଇଛନ୍ତି। ସେ ମଧ୍ୟ ଜାତୀୟ ଦଳ ପକ୍ଷରୁ ୨୦୧୧ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରି ୪ ମ୍ୟାଚ୍‌ ଖେଳିଥିଲେ। ଶେଷଥର ପାଇଁ ସେ ୨୦୧୭ ମେ’ରେ ବାଂଲାଦେଶ ବିପକ୍ଷରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ତେବେ ସେ କେବେବି କ୍ରିକେଟ୍‌ର ସବୁଠାରୁ ଛୋଟିଆ ଟି୨୦ ଫର୍ମାଟ ଖେଳିନାହାନ୍ତି। ବୋଲ୍ଟ ଓ ଫର୍ଗୁସନ ଆହତ ଥିବାରୁ ବେନ୍ନେଟ୍ଟଙ୍କ ସମେତ ଭେଟେରାନ ଟିମ୍‌ ସୌଦୀ, ବ୍ଲେୟାର ଟିକ୍‌ନର ଓ ସ୍କଟ କଗ୍‌ଲେଇଜନ ପେସ୍‌ ବୋଲିଂ ଆଟାକ୍‌ ସମ୍ଭାଳିବେ। ଦୁଇ ସ୍ପିନର ଇଶ୍‌ ଶୋଧୀ ଓ ମିଚେଲ ସାଣ୍ଟନର କିଓ୍ବି ଦଳରେ ସ୍ଥାନ ପାଇଛନ୍ତି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱଧୀନ ଘୋଷିତ ୧୪ ଜଣିଆ ଦଳରେ ମାର୍ଟିନ ଗୁପ୍‌ଟିଲ, ରସ୍‌ ଟେଲର, କଲିନ୍‌ ମୁନ୍‌ରୋ ଓ କଲିନ୍‌ ଡି ଗ୍ରାଣ୍ଡହୋମ୍‌ଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତ ଏକ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ନ୍ୟୁଜିଲାଣ୍ଡ ଗସ୍ତ କରିବ। ଯେଉଁଥିରେ ୫ ଟି୨୦, ୩ ଦିନିକିଆ ଓ ୨ ଟେଷ୍ଟ ମ୍ୟାଚ୍‌ ସାମିଲ ରହିଛି। ଅକ୍‌ଲାଣ୍ଡରେ ଜାନୁୟାରୀ ୨୪ରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳି ଭାରତ ଏହାର ଗସ୍ତ ଆରମ୍ଭ କରିବ।
ନ୍ୟୁଜିଲାଣ୍ଡ ଟି୨୦ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ହାମିଶ ବେନ୍ନେଟ୍ଟେ, ଟମ୍‌ ବ୍ରୁସ, କଲିନ ଡି ଗ୍ରାଣ୍ଡହୋମ୍‌, ମାର୍ଟିନ ଗୁପ୍‌ଟିକଲ, ସ୍କଟ କଗ୍‌ଲେଇଜନ, ଡାର୍ଲି ମିଚେଲ, କଲିନ ମୁନ୍‌ରୋ, ରସ୍‌ ଟେଲର, ବ୍ଲେୟାର ଟିକ୍‌ନର, ମିଚେଲ ସାଣ୍ଟନର, ଟିମ୍‌ ସେଇଫର୍ଟ, ଇଶ୍‌ ସୋଧୀ ଓ ଟିମ୍‌ ସୌଦୀ।

Share