ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ ପାଖରେ ପର୍ଯ୍ୟଟକ ଥିବା ବେଳେ ସେଥିରୁ କେତେକ ଲୋକ ଆହତ ହୋଇଛନ୍ତି। ଅନ୍ୟ କେତେକଙ୍କ ପତ୍ତା ମିଳିପାରିନାହିଁ। ଏବେବି ଉକ୍ତ ସ୍ଥାନରେ ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ୨ଟା ୧୦ରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଉକ୍ତ ଅଞ୍ଚଳର ମେୟର କହିଛନ୍ତି। ଉକ୍ତ ସ୍ଥାନରେ ଶହେରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଥିଲେ ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ କହିଛନ୍ତି। ତେବେ ୨୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହ୍ବାଇଟ୍‌ ଆଇଲାଣ୍ଡ ମୁଖ୍ୟଭୂମି ନ୍ୟୁଜିଲାଣ୍ଡଠାରୁ ପ୍ରାୟୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ସମ୍ବେଦନଶୀଳ ସ୍ଥାନ ହୋଇଥିବା ବେଳେ ଏଠାରେ ପ୍ରାୟ ଜ୍ୱାଳାମୁଖୀ ବିସ୍ଫୋରଣ ହେବାର ଆଶଙ୍କା କରାଯାଇଥାଏ। ପୂର୍ବରୁ ବୈଜ୍ଞାନିକମାନେ ଚେତାବନୀ ଜାରି କରିଥିବା ବେଳେ ପର୍ଯ୍ୟଟକଙ୍କୁ ସେଠାକୁ କାହିଁକି ଯିବାକୁ ଦିଆଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share