Categories: ଖେଳ

ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ବିଜୟୀ

କାର୍ଡିଫ୍‌,୨।୬(ଏଏଫପି)- ଗତଥରର ରନର୍ସଅପ୍‌ ନ୍ୟୁଜିଲାଣ୍ଡ ଏକ ଦମ୍‌ଦାର ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୦୩ଟି ବଲ ବାକିଥାଇ ୧୦ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦ୍ରୁତ ବୋଲର ମ୍ୟାଟ୍‌ ହେନେରୀ ଅଗ୍ନିବର୍ଷୀ ବୋଲିଂ (୭-୦-୨୯-୩) କରି ଶ୍ରୀଲଙ୍କାର ବିପର୍ଯ୍ୟୟ ଘଟାଇ ଦଳକୁ ବିଜୟୀ କରାଇବା ସହ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପ୍ରାରମ୍ଭିକ ଝଟ୍‌କା ଖାଇବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ୨୯.୨ ଓଭରରେ ମାତ୍ର ୧୩୬ ରନରେ ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ବିନାକ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପ୍ରଥମେ ବୋଲିଂରେ ଓ ପରେ ବ୍ୟାଟିଂରେ ଶ୍ରୀଲଙ୍କା ସାଂଘାତିକ ବିଫଳତାର ସମ୍ମୁଖୀନ ହୋଇଥିଲା। ଏଥିସହ ଉଭୟ ବୋଲିଂ ଓ ବ୍ୟାଟିଂରେ ଶ୍ରୀଲଙ୍କାର ଦୁର୍ବଳତା ପଛରେ ପଡିଛି।
୧୩୭ ରନ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଅତି ସହଜରେ ବାଜି ମାରିଥିଲା। ଦଳ ୧୬.୧ ଓଭରରେ ଟାର୍ଗେଟ ହାସଲ କରିଥିଲା। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ୭୩ ରନ (୫୧ବଲ, ୮ ଚୌକା, ୨ ଛକା) ଓ କଲିନ ମୁନରୋ ୫୮ ରନ (୪୭ ବଲ, ୬ ଚୌକା, ୧ ଛକା) କରି ଅପରାଜିତ ରହିବା ସହ ଦଳକୁ ଅତି ସହଜରେ ଜିତାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଆରମ୍ଭରୁ ଲାହିରୁ ଥିରିମାନେଙ୍କୁ ହରାଇଥିଲା। ସେ ମାତ୍ର ୪ ରନ କରି ହେନେରୀଙ୍କ ଦ୍ୱାର ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଅଧିନାୟକ ଦିମୁଥ କରୁଣାରତ୍ନେ ୫୨ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୮୪ଟି ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ମାରିଥିଲେ। ସେହିପରି ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ୨୯ ଓ ଥିସାରା ପେରେରା ୨୭ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡିସିଲଭା ୪, ଜୀବନ ମେଣ୍ଡିସ୍‌ ୧, ସୁରଙ୍ଗା ଲାକମଲ ୭, ଲସିଥ ମାଲିଙ୍ଗା ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। କୁଶାଲ ମେଣ୍ଡିସ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ, ଇସୁରୁ ଉଡାନା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ବୋଲିଂରେ ମ୍ୟାଟ ହେନେରୀ ଓ ଲୋକି ଫର୍ଗୁସନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଜେମ୍ସ ନିଶାମ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ପରବର୍ତ୍ତୀ ମ୍ୟାଚ୍‌ରେ ୫ ତାରିଖରେ ଲଣ୍ଡନରେ ବାଂଲାଦେଶକୁ ଭେଟିବ। ସେହିପରି ଶ୍ରୀଲଙ୍କା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୪ ତାରିଖରେ କାର୍ଡିଫ୍‌ରେ ଆଫଗାନିସ୍ତାନକୁ ଭେଟିବ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୨୯.୨ ଓଭରରେ ୧୩୬ ଅଲଆଉଟ
(କରୁଣାରତ୍ନେ- ୫୨, କୁଶଲ ପେରେରା- ୨୯, ଥିସାରା ପେରେରା-୨୭, ହେନେରୀ- ୩/୨୯, ଫର୍ଗୁସନ- ୩/୨୨ )।
ନ୍ୟୁଜିଲାଣ୍ଡ ୧୬.୧ ଓଭରରେ ୧୩୭/୦

Share