ନ୍ୟୁୟର୍କରେ ଛୁଟି କାଟୁଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ର ପପୁଲାର୍‌ ଷ୍ଟାର୍‌-କିଡ୍‌ଙ୍କ ମଧ୍ୟରୁ ସାରା ଅଲୀ ଖାନ୍‌ ଅନ୍ୟତମ। କେବଳ ଷ୍ଟାର୍‌-କିଡ୍‌ ଭାବେ ନୁହେଁ, ଭଲ ବ୍ୟବହାର ସାଙ୍ଗକୁ ଦମଦାର୍‌ ଅଭିନୟ ଏବଂ ନିଜର ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ ମଧ୍ୟ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏହାସହ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ସହ ତାଙ୍କ ରିଲେଶନଶିପ୍‌କୁ ନେଇ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ସାରା ଚର୍ଚ୍ଚାରେ ଥିଲେ। ହେଲେ ନିକଟରେ ଉଭୟଙ୍କ ମ୍ୟୁଚୁଆଲ୍‌ ବ୍ରେକ୍‌ଅପ୍‌ ହୋଇଯାଇଥିବା ଜଣାପଡ଼ିଛି। ସାରାଙ୍କୁ ଯୁବପିଢ଼ି ବହୁତ ପସନ୍ଦ କରିଥାନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ସେ ସବୁବେଳେ ରୁହନ୍ତି ଅପଡେଟ୍‌। ତେବେ ନଓ୍ବାବ୍‌ ପରିବାରର ତନୟା ସାରା ଆଜିକାଲି ନୁ୍ୟୁୟର୍କରେ ଛୁଟି କାଟୁଛନ୍ତି। ଭାରତ ପରେ ନ୍ୟୁୟର୍କରେ ସମୟ କାଟିବାକୁ ସେ ଅଧିକ ପସନ୍ଦ କରନ୍ତି। କାରଣ ସେଠାରେ ହିଁ ସାରା ନିଜ ପାଠପଢ଼ା ସାରିଛନ୍ତି। ନିଜ ନ୍ୟୁୟର୍କ ଟ୍ରିପ୍‌ର ଫଟୋଗୁଡ଼ିକୁ ସାରା ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ଲୋକ ପସନ୍ଦ ମଧ୍ୟ କରୁଛନ୍ତି। ଫଟୋଗୁଡ଼ିକରୁ ସେ ଖୁବ୍‌ ମସ୍ତି କରୁଥିବା ଜଣାପଡ଼ୁଛି। ଏହି ଭେକେଶନ୍‌ ଟ୍ରିପ୍‌ରେ ସେ କେବଳ ପାର୍ଟି କରୁନାହାନ୍ତି ବରଂ ନିଜ ଜିମ୍‌ ସେଡ୍ୟୁଲ୍‌ ମଧ୍ୟ ନିୟମିତ ରଖିଛନ୍ତି। ସେଠାକାର ଲୋକାଲ୍‌ କାଫେ, ପବ୍‌ସ୍‌, ପିଜ୍‌ଜା ଜଏଣ୍ଟସ୍‌ ଆଦି ସ୍ଥାନକୁ ବୁଲିଯାଇ ଫଟୋ ଶେୟାର କରିଛନ୍ତି। ଏହାସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବା ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ସ୍ଲିଙ୍ଗ୍‌ ବ୍ୟାଗ୍‌ ଧରିଥିବାବେଳେ ବ୍ଲାକ୍‌ ଡେନିମ୍‌, ପିଙ୍କ୍‌ ଓ୍ବିନ୍‌ଟର ଜ୍ୟାକେଟ୍‌, ପିଙ୍କ ଟି-ଶାର୍ଟ, ଲାଇଟ୍‌ ପିଙ୍କ୍‌ ସ୍କ୍ରାଫ୍‌ ଆଉ ବ୍ଲାକ୍‌ ବୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଲୁକ୍‌ରେ ସେ ଖୁବ୍‌ ଷ୍ଟାଇଲିସ୍‌ ଦେଖାଯାଉଛନ୍ତି।

Share