Categories: ଖେଳ

ନ୍ୟୁ ସାଉଥ୍‌ ଓ୍ବେଲ୍ସ ଚାମ୍ପିୟନ ଘୋଷିତ

ସିଡ୍‌ନୀ, ୧୭।୩ (ଏଏଫ୍‌ପି)- ଅଷ୍ଟ୍ରେଲିଆର ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ସିଫେଲ୍ଡ ସିଲ୍ଡରେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ଚାମ୍ପିୟନ ହୋଇଛି। କରୋନାର ଭୟାବହତାକୁ ଲକ୍ଷ୍ୟ ରଖି ଏହି ଟୁର୍ନାମେଣ୍ଟକୁ ଅଧାରୁ ମଙ୍ଗଳବାର ବାତିଲ୍‌ ଘୋଷଣା କରାଯାଇଛି। ପ୍ରତିଯୋଗିତାର ୯ମ ରାଉଣ୍ଡ ସରିଯାଇଥିବାବେଳେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା। ଫଳରେ ଏହି ଆନ୍ତଃ ରାଜ୍ୟ ପ୍ରତିଯୋଗିତାରେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ବିଜେତା ହୋଇଛି। ବିନା ଦର୍ଶକରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ମଧ୍ୟ ଅଷ୍ଟ୍ରେଲିଆ ବାତିଲ୍‌ କରିଦେଇଛି। ‘ପ୍ରଶଂସକ, ଖେଳାଳି, ଷ୍ଟାଫ୍‌, ଭଲ୍ୟୁଣ୍ଟିୟର୍ସ ଓ ମ୍ୟାଚ୍‌ ଅଫିସିଆଲଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର କ୍ରିକେଟ୍‌କୁ ବାତିଲ୍‌ କରିବା ସହିତ ସମସ୍ତ କ୍ରିକେଟ୍‌ ଅଫିସର ଷ୍ଟାଫ୍‌ କରେ ରହି କାମ କରିବେ’ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ କେଭିନ୍‌ ରବର୍ଟସ କହିଛନ୍ତି। ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୦୦ କରୋନା ଭାଇରସ୍‌ ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇସାରିଛି।

Share