ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝିଙ୍କୁ ରାଜ୍ୟ ଖାଦ୍ୟ କମିଶନର ନିଲମ୍ବିତ କରିଛନ୍ତି। ଏଥିସହ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆାଉଥିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
ଯେ, କିଛିମାସ ହେଲା ଜିଲାରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ନେଇ ଜଣେ ବ୍ୟକ୍ତି କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଗତ ଶନିବାର ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଆସି ଏ ଦିଗରେ ତଦନ୍ତ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ପରେ ଯୋଗାଣ ଅଧିକାରୀ ଓ ସହକାରୀ ଯୋଗାଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଜିଲାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କୁହନ୍ତି , ବିଭାଗ ପକ୍ଷରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବା ଚିଠି ତାଙ୍କର ହସ୍ତଗତ ହୋଇଛି। ଅନ୍ୟପକ୍ଷେ ନିଗମ ପକ୍ଷରୁ ମଧ୍ୟ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଯୋଗାଣ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ୬ ଜଣ ନିଲମ୍ବିତ ହେବା ପରେ କାର୍ଯ୍ୟାଳୟରେ ର୍କମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।