ନୟାଗଡ଼ ଡିଏଚ୍‌ଏଚ୍‌କୁ ‘ମୋ ସରକାର’ ଟିମ୍‌ର ପରିଦର୍ଶନ: ତଦାରଖ କଲେ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର, ୭ା୧(ବ୍ୟୁରୋ)‘ମୋ ସରକାର’ର ଟିମ୍‌ ସୋମବାର ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ଓ ରୋଗୀଙ୍କ ପ୍ରତିକ୍ରିୟା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ୪ଜଣିଆ ଟିମ୍‌ ପଠାଯାଇଥିଲା। ଏହି ଟିମ୍‌ ଚିିକିତ୍ସାଳୟର ବିଭିନ୍ନ ଓ୍ବାର୍ଡ ଓ କାଉଣ୍ଟର ବୁଲି ୬୦ରୁ ଊର୍ଦ୍ଧ୍ୱ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାକୁ ନେଇ ରୋଗୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ବୃଦ୍ଧି ପାଇଥିବା ଟିମ୍‌ ଜାଣିବାକୁ ପାଇଛି। ଚିକିତ୍ସାଳୟ କର୍ତ୍ତୃପକ୍ଷ ମଧ୍ୟ ଏହି ଯୋଜନା ସମ୍ପର୍କରେ ରୋଗୀଙ୍କୁ ସଚେତନ କରାଉଛନ୍ତି। ରୋଗୀମାନେ ଜାଣିଛନ୍ତି ଯେ, ପ୍ରତ୍ୟକ୍ଷଭାବେ ମୁଖ୍ୟମନ୍ତ୍ରୀ, ତାଙ୍କ କ୍ୟାବିନେଟ୍‌ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରତିକ୍ରିୟା ନେଉଛନ୍ତି। ତେବେ ଚିକିତ୍ସାଳୟରେ ସ୍ବଚ୍ଛତା, ଭିତ୍ତିଭୂମି ସେବା, ରୋଗ ନିରୂପଣ ସହାୟକ ସେବା, ‘ନିରାମୟ’ ଯୋଜନାରେ ମିଳୁଥିବା ଔଷଧର ଉପଲବ୍ଧତା ବୃଦ୍ଧି ପାଇଥିବା ଟିମ୍‌ ଦେଖିବାକୁ ପାଇଥିଲା। ‘ନିରାମୟ’ ସେବା ସମ୍ପର୍କରେ ଜାଣିବା ପାଇଁ ଟିମ୍‌ର ଦୁଇଜଣ ସଦସ୍ୟ ରୋଗୀ ହୋଇ ଓପିଡି ଓ ନିରାମୟ କାଉଣ୍ଟରରେ ଧାଡ଼ିରେ ଛିଡ଼ା ହୋଇଥିଲେ ଏବଂ ଡାକ୍ତର-ରୋଗୀଙ୍କ ମଧ୍ୟରେ କଥାବାର୍ତ୍ତା ଓ ଔଷଧ ଉପଲବ୍ଧ ରହିଛି କି ନାହିଁ ତଦାରଖ କରିଥିଲେ। ଚିକିତ୍ସାଳୟରେ ରୋଗୀମାନେ ଉପଯୁକ୍ତ ସେବା ପାଇପାରୁଛନ୍ତି ବୋଲି ଟିମ୍‌ ଜାଣିବାକୁ ପାଇଥିଲା ଏବଂ ରୋଗୀଙ୍କ ପ୍ରତିକ୍ରିୟା ମଧ୍ୟ ସକାରାତ୍ମକ ଥିଲା।

Share