Advertisement

ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ଟ୍ରେନିଂର ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଷଡ଼ଙ୍ଗୀ ବକ୍ତବ୍ୟ ପ୍ରଦାନ କରି ପାସ୍‌ିଂ ଆଉଟ ହୋଇଥିବା ପୋଲିସ କନଷ୍ଟେବଳମାନଙ୍କୁ ଆଗାମୀ ଦିନରେ ସଫଳତାର ଶେଷ ସୀମାରେ ପହଞ୍ଚତ୍ବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଶିକ୍ଷକମାନେ ସେମାନଙ୍କୁ ଦୃଢ଼ଭାବରେ ଗଢ଼ିଛନ୍ତି, ତେଣୁ କନଷ୍ଟେବଳମାନେ ମାନସିକ ଓ ବୌଦ୍ଧିକସ୍ତରରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ଯାହାକି ଆଗାମୀ ଦିନରେ ତାଙ୍କୁ ଦୃଢ଼ ପୋଲିସ ଅଫିସର ଭାବେ ଗଢ଼ି ତୋଳିବ ବୋଲି ସେ କହିଥିଲେ। କନଷ୍ଟେବଳମାନେ ହେଉଛନ୍ତି ପୋଲିସର ମେରୁଦଣ୍ଡ। ପୋଲିସ ବିଭାଗର ଉନ୍ନତି ଆଣିବାରେ ସେମାନଙ୍କ ଯୋଗଦାନ ସବୁବେଳେ ରହିଛି। ରାଜ୍ୟ ସରକାର ଚଳିତବର୍ଷ କନଷ୍ଟେବଳମାନଙ୍କୁ ଅପରାଧ ଅନୁସନ୍ଧାନର ଗୁରୁତ୍ୱ ଦେଇଥିବାରୁ ସେମାନଙ୍କର ଗୁରୁତ୍ୱ ବଢ଼ିଯାଇଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ ଦିନ ସେମାନଙ୍କୁ ଅସାଧାରଣ କାର୍ଯ୍ୟ କରିବାକୁ ପଡ଼ିବ। ଯାହା ଅନ୍ୟମାନେ କରିପାରିବେ ନାହିଁ କି ଚିନ୍ତା କରିପାରିବେ ନାହିଁ। ନ୍ୟାୟ ଓ ଅନ୍ୟାୟର ପରିଭାଷା କନଷ୍ଟେବଳଙ୍କ ଠାରୁ ଆରମ୍ଭ ହେବ ଓ ସେମାନଙ୍କ ଠାରୁ ଶେଷ ହେବ ବୋଲି ପୋଲିସ ଏକାଡେମୀର ନିର୍ଦ୍ଦେଶକ ଷଡ଼ଙ୍ଗୀ କହିଥିଲେ। ସମାଜରେ ସେବା ଯୋଗାଇବା ସହିତ ଲୋକଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ କନଷ୍ଟେବଳମାନଙ୍କୁ ଉପଦେଶ ଦେଇଥିଲେ। ପିଟିଏସ୍‌ର ଅଷ୍ଟମ ବ୍ୟାଚ ଟ୍ରେନିଂ ନେଇଥିବା ୩୮୦ ଜଣ କନଷ୍ଟେବଳ ଶୁକ୍ରବାର ପାସ୍‌ିଂ ଆଉଟ ପରେଡ ପ୍ରଦର୍ଶନ କରିଥିଲେ। ୧୫୦ ମହିଳା ଓ ୨୩୦ ପୁରୁଷ କନଷ୍ଟେବଳ ସେମାନଙ୍କ ଚିର୍ତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମଧୁସ୍ମିତା ପଣ୍ଡା, ଅନିତା ବେହେରା, ମମତା ମୁର୍ମୁ, ପ୍ରବୀଣ ପାନ୍ତରୁ, ସୁଶାନ୍ତ ଖରା, ଦୁଷ୍ମନ୍ତ କୁମାର ମଲ୍ଲିକ, ସରୋଜ ସେଠୀ , ରୁକ୍ମିଣୀ ଦାସ, ବାପୁନୀ ବେହେରା ପ୍ରମୁଖଙ୍କୁ ବିଭିନ୍ନ ବିଷୟରେ ଅଧିକ ନମ୍ବର ରଖିବା , ବୈଷୟିକ ଜ୍ଞାନ ଓ ସର୍ବୋତ୍ତମ ଶୃଙ୍ଖଳା ପାଇଁ ମୁଖ୍ୟ ଅତିଥି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଧନରାଜ ଏଚଡି, ଅନୁଷ୍ଠାନର ଉପାଧ୍ୟକ୍ଷ ଭବେଶ କୁମାର ନାୟକ, ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share