Categories: ଜାତୀୟ

ପଇଡ଼ ଭିତରେ ମଦ

ପାଟନା,୫।୨: ବିହାରରେ ମଦ ବିକ୍ରି ଓ ପିଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି। କିନ୍ତୁ ପ୍ରତିଦିନ ଏଠାରେ ଲୁଚାଛପାରେ ମଦ କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ମଦ ବିକ୍ରିକୁ ନେଇ ବିହାର ନଓ୍ବାଡାରୁ ଆସିଥିବା ଏକ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ମଦ ଚୋରାଚାଲାଣ ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଥିବା ବେଳେ ଏବେ ଏଥିପାଇଁ ପଇଡ଼ ଏକମାତ୍ର ସାହା ପାଲଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ନଓ୍ବାଡା ଜିଲାର ନଗର ଥାନା ଅଞ୍ଚଳର ପ୍ରଜାତନ୍ତ୍ର ଛକ ନିକଟରେ ମଦ ବେପାର ହେଉଥିବା ନେଇ ସ୍ଥାନୀୟ ପୋଲିସକୁ ଖବର ମିଳିଥିଲା। ଖବରପାଇ ପୋଲିସ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲା। ସେଠାରେ ପୋଲିସ ମଦ ବିକ୍ରି ହେଉଥିବା ସ୍ଥାନକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ଜଣେ ନାବାଳକ ଉକ୍ତ ମଦ ସବୁ ପଇଡ଼ ଭିତରେ ଭର୍ତ୍ତି କରି ବିକ୍ରି କରୁଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଉକ୍ତ ନାବାଳକୁ ଗିରଫ କରିବା ସହ ସେଠାରୁ ବିପୁଳ ମାତ୍ରାରେ ମଦ ଜବତ କରିଛି। ଆଉ ଏଥିରେ ଜଡିତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ନାବାଳକଙ୍କୁ ପଚରାଉଚୁରା ଜାରି ରଖିଛି। ବୁଧବାର ଏନେଇ ନଗର ଥାନା ପ୍ରଭାରୀ ସଞ୍ଜୀବ କୁମାର ସୂଚନା ଦେଇଛିନ୍ତି। ସୂଚନାଯୋଗ୍ୟ, ବିହାରରେ କୌଣସି ପ୍ରକାରର ମଦ ବିକ୍ରି ଓ ପିଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ହେଲେ କେତେକ ସ୍ଥାନରେ ଏହାର ଚୋରାଚାଲାଣ ହେଉଥିବା ସୂଚନା ମିଳିଛି।

Share