Advertisement

ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର

ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ ସ୍କଟଲାଣ୍ଡରେ ରହି ଆସୁଛନ୍ତି। ତେବେ ଚଳିତ ଥର ଦୀପାବଳି ସମସ୍ତଙ୍କ ସାଙ୍ଗରେ ଓ ନିଆରା ଭାବେ ପାଳନ କରିବାକୁ ଅଭିଷେକ, ତାଙ୍କ ସ୍ତ୍ରୀ ସ୍ନୋ, ଝିଅ ଏଲା ଏବଂ ପୁଅ ଏଡ୍‌ ଭାରତକୁ ଆସିଛନ୍ତି। ଆଲୋକର ପର୍ବ ଦୀପାବଳିକୁ ଗରିବ ପିଲାଙ୍କ ସହ ପାଳିବାକୁ ଯାଇ ନିଜ ପକେଟ ମନିରୁ ସଞ୍ଚୟ କରିଥିବା ଟଙ୍କାରେ ସେମାନଙ୍କୁ ଖାଇବା ଓ ଉପହାର ଭେଟି ଦେଇଛନ୍ତି। ସୂଚନାମୁତାବକ ମୂଳ ରୂପରେ ଦୀପାବଳି ଭାରତର ପର୍ବ ବୋଲି ଜାଣିବା ପରେ ଏଲା ଓ ଏଡ ଏହାକୁ ନିଆରା ଢ଼ଙ୍ଗରେ ଭାରତରେ ପାଳିବାକୁ ଇଛା ପ୍ରକାଶ କରିଥିଲେ। ଆଉ ଏଥିପାଇଁ ଦୀର୍ଘ ୩ବର୍ଷ ହେଲା ସେମାନେ ଉଦ୍ୟମ କରି ଆସୁଛନ୍ତି। ସ୍କଟଲାଣ୍ଡରେ ସ୍କୁଲ ଛୁଟି ହେବା ପରେ ଏଲା ଓ ଏଡ ସ୍କୁଲ ବାହାରେ ଏକ ଷ୍ଟଲ ପକାଇ ଘର ବଗିଚାରେ ଚାଷ ହୋଇଥିବା ପରିବା, ଗଛ ଓ ଚକୋଲେଟ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି। ଏଭଳି କରି ୩ବର୍ଷ ଭିତରେ ସେମାନେ ୫୦ ହଜାର ଟଙ୍କା ସଞ୍ଚୟ କରିଥିଲେ। ଏହି ଟଙ୍କାକୁ ନେଇ ସେମାନେ ଭାରତ ଆସିଥିବା ବେଳେ ଉତ୍ତରପ୍ରଦେଶ ଅଲିଗଡ଼ର ଶାନ୍ତି ନଗରରେ ଥିବା ଜ୍ଞାନ ଭାରତୀ ପ୍ରାଇମେରୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ଏହି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାୟ ୭୫ ଛାତ୍ର ପାଠ ପଢ଼ନ୍ତି। ଏଲା ଓ ଏଡ ଗୁରୁବାର ସ୍କୁଲରେ ପହଞ୍ଚି ପିଲାଙ୍କୁ ବିସ୍କୁଟ, ନିମକି, ଦହି, ଜିଲାବି ସହ ଭୋଜନ କରାଇଥିଲେ। ଏହାପରେ ଦୀପାବଳି ଛୁଟିରେ ପିଲାମାନେ ଘରକୁ ନେଇକି ଯିବା ପାଇଁ ଲଡୁର ଏକ ଡବ୍ବାକୁ ଉପହାର ସ୍ବରୂପ ଦେଇଥିଲେ। ଆଉ ଏହି ଡବ୍ବାକୁ ସେମାନେ ନିଜ ହାତରେ ତିଆରି କରିଥିବା ଜଣାପଡ଼ିଛି। ଏଭଳି କରି ସେମାନେ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇବା ସହ ଖୁସିକୁ ଦ୍ୱିଗଣିତ କରି ଦେଇଛନ୍ତି। ତେବେ ଏହି ବୟସରୁ ଏଲା ଓ ଏଡଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ସେମାନଙ୍କୁ ଏହି ଚ୍ୟାରିଟିର ପ୍ରେରଣା ସେମାନଙ୍କୁ ଉତ୍ତରାଧିକାରୀ ଭାବେ ମିଳିଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ଜେଜେବାପା, ବାପା ଓ ପିଉସୀ ଆବଶ୍ୟକୀୟ ଲୋକଙ୍କୁ ସାହଯ୍ୟ କରିବା ସହ ଚ୍ୟାରିଟେବୁଲ ଟ୍ରଷ୍ଟ ମଧ୍ୟ ଚଳାଉଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share