Categories: ନୟାଗଡ଼

ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି ମହିଳାଙ୍କଠାରୁ ସୁନାଚେନ୍‌ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ନିରୂପାୟ ହୋଇ ଜିଲାପାଳ ଓ ପୋଲିସରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରଣପୁର ବ୍ଲକ ବାରଙ୍ଗଗାଡ଼ିଆ ଗ୍ରାମର ମମତା ଛୁଆଳସିଂଙ୍କ ସ୍ବାମୀ ସୁରଟରେ ରହି କାର୍ଯ୍ୟ କରୁଥିବାବେଳେ ସେ ପିଲାମାନଙ୍କୁ ଧରି ଗ୍ରାମରେ ରୁହନ୍ତି। ମଙ୍ଗଳବାର ସକାଳ ୮ଟାରେ ଜଣେ ଯୁବକ ନିଜକୁ ଏକତାଳ ଗ୍ରାମର କହି ମମତାଙ୍କ ପାଖରେ ପହଞ୍ଚତ୍ଥିଲେ। ତୁମର ବିଜୁ ପକ୍କା ଘର ଯୋଜନାରେ କୋଠାଘର ଆସିଛି, ଘର ପାଇଁ ତୁମକୁ ୨ ଲକ୍ଷ ୩୦ ହଜାର ଟଙ୍କା ମିଳିବ, ସେଥିପାଇଁ ଜିଲପାଳଙ୍କ କାର୍ଯ୍ୟାଳୟରେ କିଛି ଲାଞ୍ଚ ଦେବାକୁ ପଡ଼ିବ ବୋଲି ଯୁବକ କହିଥିଲେ। ମମତା କେତେ ଟଙ୍କା ପଚାରିବାରୁ ସେ ୨୦ରୁ ୩୦ ହଜାର ଟଙ୍କା ବୋଲି କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ମମତା କହିବାରୁ ଯୁବକ ଜଣକ ତୁମ ପାଖରେ ଯାହା ଟଙ୍କା ଅଛି ଆଣ ଆଉ କିଛି ସୁନା ଜିନିଷ ଧରି ଆସିଲେ ବିକ୍ରି କରି ଟଙ୍କା ଦେବା ବୋଲି କହିଥିଲେ। ପରେ ମମତା ଓ ତାଙ୍କ ଝିଅ ଚୁଲବୁଲି ଯୁବକଙ୍କ ବାଇକ୍‌ରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ ଅଫିସ ପରିସରରେ ପଡ଼ିଥିବା ବେଞ୍ଚରେ ବସି ଯୁବକ ଜଣକ ଚୁଲବୁଲିଙ୍କୁ ରାଶନ କାର୍ଡ଼ ଓ ଭୋଟର କାର୍ଡ଼ର ଜେରକ୍ସ କରି ଆଣିବା ପାଇଁ କହିଥିଲେ। ଚୁଲବୁଲି ଏହାକୁ ଜେରକ୍ସ କରିବା ପାଇଁ ବଜାରକୁ ଯାଇଥିଲେ। ଏହି ସମୟରେ ଯୁବକ ଜଣକ ଭିତରେ ଟଙ୍କା ଓ ସୁନାଚେନ୍‌ ଦେବାକୁ କହି ମମତାଙ୍କଠାରୁ ୩୨୦୦ ଟଙ୍କା ଓ ପାଖାପାଖି ୧.୫ ଭରିର ସୁନାଚେନ୍‌ ନେଇ ଯାଇଥିଲେ। ପରେ ସେ ବାହାରକୁ ଆସି ବାଇକ୍‌ରେ ଯାଉଥିବା ସମୟରେ ଚୁଲବୁଲି କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଯୁବକ ଜଣକ ଷ୍ଟାମ୍ପପେପର ପାଇଁ ପାଖ ଦୋକାନକୁ ଯାଉଥିବା କହିଥିଲେ। ଚୁଲବୁଲି ଆସି ମା’ଙ୍କୁ ପଚାରିବାରୁ ସେ ଯୁବକଙ୍କୁ ଟଙ୍କା ଓ ସୁନାଚେନ୍‌ ଦେଇଥିବା କହିଥିଲେ। ପରେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଯୁବକଙ୍କ ଦେଖା ମିଳି ନ ଥିଲା। ଟଙ୍କା, ସୁନା ହରାଇଥିବା ମହିଳାଙ୍କଠାରେ କାନ୍ଦିବା ଛଡା ଅନ୍ୟ ଉପାୟ ନ ଥିଲା। ଏହାଦେଖି ଜଣେ ବ୍ୟକ୍ତି ତାଙ୍କୁ ଆଶ୍ୱାସନା ଦେଇଥିଲେ। ପରେ ଏ ନେଇ ମମତା ଲିଖିତ ଭାବେ ଜିଲାପାଳ ଓ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜୟଦୀପ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଯୁବକଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଥିଲେ।