ପକ୍କାଘର ଯୋଗାଇଦେବାକୁ ନିର୍ମାଣ ସଂଘ ଏବଂ ଅନ୍ୟାନ୍ୟ ସଂଘର ଦାବି

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ସମେତ ଝିଞ୍ଜିରିଗୁଡ଼ା, ହାତିମୁଣ୍ଡା, କୁମ୍ଭାରିଗାଁ ଏବଂ ତାଜୁଙ୍ଗିଆ ପଞ୍ଚାୟତର କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ସଂଘ ପକ୍ଷରୁ ସୋମବାର ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବାକୁ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ନିକଟରେ ଦାବି କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୫ବର୍ଷ ହେଲା କୋଠାବାଡ଼ି ଏବଂ ଅନ୍ୟାନ୍ୟ ଶ୍ରମିକ ସଂଘ ଭାବେ ସେମାନଙ୍କ ପଞ୍ଜୀକରଣ ହୋଇଛି। ସରକାର ଏବେ କୋଠାବାଡ଼ି ମିସ୍ତ୍ରିମାନଙ୍କୁ କଚ୍ଚାଘର ବଦଳରେ ପକ୍କାଘର ନିର୍ମାଣ ପାଇଁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେଉଛନ୍ତି । ମାତ୍ର ସେମାନଙ୍କୁ ପ୍ରଶାସନିକ ଅବହେଳା କାରଣରୁ ଏଯାବତ ପକ୍କାଘର ଯୋଜନାରେ ଘର ନିର୍ମାଣ ପାଇଁ କୌଣସି ଅନୁଦାନ ମିଳିନାହିଁ । ଏ ନେଇ ସେମାନେ ଫୁଲବାଣୀ ଶ୍ରମ ଅଧିକାରୀଙ୍କ କର୍ଯ୍ୟାଳୟରେ ପଞ୍ଜୀକରଣ କରିବା ସହ ତାଲିକା ପ୍ରସ୍ତୁତ ସମ୍ପର୍କରେ ପଚାରି ବୁଝିଥିଲେ। ବିଡିଓଙ୍କଠାରୁ ତାଲିକା ଆସିବା ପରେ ଏହି ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅନୁଦାନ ଦିଆଯିବ ବୋଲି ସେଠାରେ ସେମାନଙ୍କୁ କୁହାଯାଇଥିଲ। ତେବେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରୁ ଚୂଡ଼ାନ୍ତ ତାଲିକା ଯାଇ ନ ଥିବାରୁ ଉକ୍ତ ତାଲିକା ଶୀଘ୍ର ବିଡିଓ ଜିଲା ପ୍ରଶାସନ ନିକଟକୁ ପଠାଇବାକୁ ବ୍ରାହ୍ମଣୀଗାଁ ଅଞ୍ଚଳର ୫ଟି ପଞ୍ଚାୟତକୁ ନେଇ ଗଠନ କରାଯାଇଥିବା ଆମ୍ବେଦକର ମିସ୍ତ୍ରି ମହାରଣା ନିର୍ମାଣ ସଂଘ ପକ୍ଷରୁ ଦାବି ହୋଇଛି। ସଂଘର ସଭାପତି ସୁଶାନ୍ତ ନାୟକ, ସମ୍ପାଦକ ମାର୍କ ସିଂ, କୋଷାଧ୍ୟକ୍ଷ ସୁଶୀଳ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ସଂଘର ସଦସ୍ୟ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଶୀଘ୍ର ଦାବିପୂରଣ କରା ନ ଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Share