ପକ୍ଷାଘାତରେ ଚାନ୍ଦି ମେଢ଼ର ଅନନ୍ୟ ବିନ୍ଧାଣି

କଟକ ଅଫିସ,୧୯।୩: ତାରକସୀ କାର୍ଯ୍ୟ ପାଇଁ ସାରା ଦେଶରେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏହାକୁ ନିର୍ମାଣ କରୁଥିବା ବିନ୍ଧାଣୀଙ୍କୁ କ୍ୱଚିତ ଜାଣିଥାନ୍ତି। ଜଣେ ଚାନ୍ଦିମେଢ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଆଉ ସେହି ଡିଜାଇନ ମୁତାବକ ଗଢା ହୋଇଥାଏ ଆଖି ଝଲସା ଚାନ୍ଦିମେଢ। ଶିଳ୍ପୀ ରାମଚନ୍ଦ୍ର ଏହି କ୍ଷେତ୍ରରେ ବେଶ୍‌ ପାରଦର୍ଶିତା ହାସଲ କରିଛନ୍ତି।
ଦୀର୍ଘ ୫୦ବର୍ଷ ହେବ ରାମଚନ୍ଦ୍ର ଚାନ୍ଦି କାରୀଗର ଭାବେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସେ କଟକ ସହରର ୧୫ରୁ ଊର୍ଦ୍ଧ୍ୱ ଚାନ୍ଦିମେଢ ଲାଗି ଡିଜାଇନ ପ୍ରସ୍ତୁତ କରିସାରିଛନ୍ତି। ତେବେ ଗତବର୍ଷଠାରୁ ସେ ପକ୍ଷାଘାତରେ ପୀଡିତ ଅଛନ୍ତି । ତଥାପି ଚାନ୍ଦିମେଢ ର୍ନିମାଣ ଲାଗି ଡିଜାଇନ ପ୍ରସ୍ତୁତ କରୁଛନ୍ତି। ପୂଜା ମଣ୍ଡପର ଉଚ୍ଚତା ଓ ଚଉଡ଼ାକୁ ଦେଖି ଚାନ୍ଦିମେଢ ନିର୍ମାଣ ହୋଇଥାଏ। ପୂଜା କମିଟିର ଇଚ୍ଛା ମୁତାବକ ରାମଚନ୍ଦ୍ର ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଚାନ୍ଦିମେଢ ଡିଜାଇନରେ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଥାଏ। ମଣ୍ଡପର ଉଚ୍ଚତା, ଚଉଡ଼ା ଏବଂ ଖଡ଼ମାର ମାପକୁ ନେଇ ମେଢର ସିଂହାସନ, ଦୁଇ ପାର୍ଶ୍ୱରେ ଥିବା ପିଲାର, କଲିକା, ଦଶ ଅବତାର ଘର, ଖିଲଣ ଘର, ମୟୂର, ମୟୂର କଲିକା, ମତ୍ସ୍ୟ, ପାହିଆ ଆଦିର ଡିଜାଇନ ପ୍ରସ୍ତୁତ ହୋଇଥାଏ। ଡିଜାଇନର ପ୍ରତ୍ୟେକ ଅଂଶ ଏପରିକି ମେଢରେ ହେବାକୁ ଥିବା ଛୋଟ ଛୋଟ କାରିଗରିକୁ ମଧ୍ୟ କାଗଜରେ ଅଙ୍କା ଯାଇଥାଏ । ଚାନ୍ଦି କାରିଗର ଏହି କାଗଜ ଡିଜାଇନକୁ ଅନୁକରଣ କରି ଆକର୍ଷଣୀୟ ମେଢ ର୍ନିମାଣ କରିଥାନ୍ତ। ତେବେ ମୁଖ୍ୟ କଥା ହେଉଛି ରାମଚନ୍ଦ୍ର ଏହି ଡିଜାଇନ ପାଇଁ କମ୍ପ୍ୟୁଟର କିମ୍ବା କୌଣସି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନଥାନ୍ତି। ସେ ଚାନ୍ଦିମେଢର ଡିଜାଇନ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ମା’ ଦୁର୍ଗାଙ୍କୁ ସ୍ମରଣ କରି ନିଜ ମନର କାଳ୍ପନିକ ଚିତ୍ରକୁ କାଗଜରେ ଆଙ୍କିଥାନ୍ତି ବୋଲି ରାମଚନ୍ଦ୍ର କୁହନ୍ତି। ସବୁବେଳେ କିଛି ନୂଆ ଡିଜାଇନ କରିବାକୁ ପ୍ରୟାସ କରିଥାନ୍ତି ସେ। ଗୋଟିଏ ଡିଜାଇନ ପ୍ରସ୍ତୁତ କରିବାକୁ ଦୁଇ ତିନି ମାସ ସମୟ ଲାଗିଥାଏ। ପକ୍ଷାଘାତରେ ଶିକାର ହେବାପରଠାରୁ ଏହି କାର୍ଯ୍ୟରେ ତାଙ୍କୁ ଦୁଇ ପୁଅ ସୂର୍ଯ୍ୟନାରାୟଣ ଏବଂ ମନୋରଞ୍ଜନ ସହଯୋଗ କରୁଛନ୍ତି। ଚାନ୍ଦିମେଢ଼ ର୍ନିମାଣ କାର୍ଯ୍ୟ ସମୟରେ ରାମଚନ୍ଦ୍ର ନିଜେ ଉପସ୍ଥିତ ରହି ମେଢର ଟିକିନିଖି କାର୍ଯ୍ୟକୁ ତଦାରଖ କରିଥାନ୍ତି । ଏହାଛଡ଼ା ସେ ଜରିମେଢ ମଧ୍ୟ ନିର୍ମାଣ କରିଥାନ୍ତି। କଲିକତା, ବମ୍ବେ ଆଦି ସ୍ଥାନରୁ ଜରିମେଢ ପାଇଁ କଞ୍ଚାମାଲ ଆଣି ଆକର୍ଷଣୀୟ ମେଢ ସହିତ ଦେବୀ’ଙ୍କ ପାଇଁ ଅଳଙ୍କାର ଓ ସାଜସଜ୍ଜା ମଧ୍ୟ ତିଆରି କରିଥାନ୍ତି।

Share