Categories: ଫୁରସତ

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି। ଏହି ବାର୍ଡ ଫ୍ଲାଟ୍‌ ଜିଡିଏ ଉପାଧ୍ୟକ୍ଷାଙ୍କ ଆବାସରେ ନିର୍ମାଣ କରାଯାଇଛି। ଏଥିରେ ୬୦ ପକ୍ଷୀ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଲୁହା ଖୁଣ୍ଟରେ ଫ୍ଲାଟ୍‌ଟିକୁ ନିର୍ମାଣ କରାଯାଇଛି। ଖରାବର୍ଷା ଦାଉରୁ ପକ୍ଷୀମାନେ ରକ୍ଷା ପାଇବା ଲାଗି ଉପରେ ଛାତ ରହିଛି।

ଜିଡିଏର ଉପାଧ୍ୟକ୍ଷା କାଞ୍ଚନ ବର୍ମା କୁହନ୍ତି, ଏହି ଫ୍ଲାଟ୍‌ ତିଆରି କରିବା ପାଇଁ ପ୍ରଥମେ ପ୍ରାକୃତିକ ଦୃଶ୍ୟରାଜି ନିକଟରେ ଥିବା ଆପାର୍ଟମେଣ୍ଟର ଲୋକଙ୍କୁ ଭେଟିବାକୁ ପଡ଼ିଥିଲା। ପକ୍ଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଫ୍ଲାଟ୍‌ରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପକ୍ଷୀମାନେ ଗାଧୋଇବା ପାଇଁ ପୁଲ୍‌ ରହିଛି। ଏହାସହିତ ନିୟମିତ ପାଣି ବଦଳାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ବାର୍ଡ ଫ୍ଲାଟ୍‌ର ଉଚ୍ଚତା ୧୫ ଫୁଟ ହୋଇଥିବାବେଳେ ଏଥିରେ ୧୦ ଫୁଟ ଲମ୍ବ ଏବଂ ୫ ଫୁଟ ଚଉଡ଼ାର ଖୁଣ୍ଟସବୁ ରହିଛି।

Share