ପକ୍ଷୀ, ବାସସ୍ଥଳୀର ସୁରକ୍ଷା ଚିନ୍ତା : ଏକାଠି ହେଲେ ପରିବେଶବିତ୍‌

ସୋନପୁର,୨୭।୧୨(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଛୋଟ ବଡ ନଦୀ, ନାଳ ଓ ବହୁ ସଂଖ୍ୟକ ବନ୍ଧ ରହିଛି। ଜଙ୍ଗଲ ସମ୍ପଦ ଓ ଉତ୍ତମ ଜଳବାୟୁ ଅଛି। ସ୍ଥାନୀୟ ଅଞ୍ଚଳରେ ଦେଖା ଯାଉଥିବା ପକ୍ଷୀଙ୍କ ସମେତ ଦେଶ ଓ ବିଦେଶର ବିରଳ ପକ୍ଷୀଙ୍କ ସମାଗମ ହେଉଛି। ତେଣୁ ପକ୍ଷୀ ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଜିଲାର କେତେକ ପକ୍ଷୀ ପ୍ରେମୀ ଓ ପରିବେଶବିତ୍‌। ଗୁରୁବାର ବନଖଣ୍ଡୀୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପକ୍ଷୀ ସମ୍ଭାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସାମନ୍ତରାୟ କହିଥିଲେ ମହାନଦୀ ଶଯ୍ୟାରେ ଏବେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି। ବିରଳ ପକ୍ଷୀ କମନ ମରଗାନସର ଓ ବ୍ଲାକ ବେଲିଡ୍‌ ଟର୍ନଙ୍କ ବିଚରଣ ମହାନଦୀର ଶୋଭା ବଢାଉଛି। ଏହି ପକ୍ଷୀଙ୍କ ସୁରକ୍ଷା ଜରୁରି। ବାସସ୍ଥଳୀର ସୁରକ୍ଷା ପାଇଁ ନଦୀଗର୍ଭରେ ବ୍ଲାଷ୍ଟିଂ ଓ ବେଆଇନ ବାଲି ଉତ୍ତେଳନ ବନ୍ଦ କରିବା ଆବଶ୍ୟକ। ନଦୀ ବାଲିରେ ଭୋଜି ସମୟରେ ପଲିଥିନ ପକାଇ ଅପରିସ୍କାର କରିବା ମଧ୍ୟ ଚିନ୍ତାଜନକ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ସୋନପୁର କଲେଜ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଉମାକାନ୍ତ ନାଗ ଯୋଗଦେଇ ବିଶ୍ୱ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବହୁ ପକ୍ଷୀ ପୃଥିବୀରୁ ଲୋପ ପାଇ ଗଲେଣି। ଆଉ କିଛି ପକ୍ଷୀ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ସେମାନଙ୍କ ପାଇଁ ଅନୁକୂଳ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ ବୋଲି କହିଥିଲେ। ସଭାକୁ ସଂଯୋଜନା କରି ସହକାରୀ ବନ ସଂରକ୍ଷକ ସୁଶିଲ କୁମାର ତ୍ରିପାଠୀ କହିଲେ ପକ୍ଷୀ ମଣିଷ ପାଇଁ ଉପକାରୀ। କାଉ ମଳରୁ ମଞ୍ଜି ପଡି ଅଶ୍ୱତଥ ଭଳି ବୃହତ ଗଛ ଜନ୍ମ ହୁଏ । କିନ୍ତୁ ପରିବେଶ ପ୍ରଦୂଷଣ, ସଚେତନତା ଅଭାବରୁ ଜଙ୍ଗଲ ଓ ଘାସରେ ଲୋକେ ନିଆଁ ଲଗାଇବା ଯୋଗୁଁ ବହୁ ପକ୍ଷୀ ଲୋପ ପାଇଲେଣି । ତେବେ ମଣିଷ ଆଖପାଖରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ, ପାରା ଓ କାଉ ଭଳି ପକ୍ଷୀମାନଙ୍କୁ ପାଣି ଓ ଖାଦ୍ୟ ଦେବାକୁ ତ୍ରିପାଠୀ ପରାମର୍ଶ ଦେଇଥିଲେ। ପକ୍ଷୀ ବିଶେଷଜ୍ଞ ଓମ ପ୍ରକାଶ ରାଉତ, ଦୀନେଶ ରଞ୍ଜନ ମିଶ୍ର ଓ ଶୁଭମ ରାଉତ ଜିଲାରେ ପକ୍ଷୀଙ୍କ ସ୍ଥିତି ଓ ସୁରକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପକ୍ଷୀ ପ୍ରେମୀ ଶ୍ୟାମା ଓଁ ପ୍ରସାଦ ମିଶ୍ର, ସ୍ବଚ୍ଛ ଭାରତ ସ୍ବେଚ୍ଛାସେବୀ ସଂଗଠନର ସଭାପତି ଲକ୍ଷ୍ମୀନାରାୟଣ ମେହେର, ଶିକ୍ଷାବିତ ଅମ୍ବୁଜ ବିହାରୀ ଶତପଥୀ, ତାପସ କୁମାର ବେଉରା, ପ୍ରଭୁଦତ୍ତ ରଥ, ସୋନପୁର କଲେଜ ପ୍ରାଣିବିଜ୍ଞାନ ବିଭାଗର ଛାତ୍ରୀ ସମୀକ୍ଷା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Share