ପଖାଳକୁ ରୋକିପାରିଲାନି କରୋନା: ଘରେ ପାଳନ ହେଲା ପଖାଳ ଦିବସ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ପଖାଳ କଂସାକୁ ରୋକିପାରିଲାନି କରୋନା ଭୟ। ପଖାଳ ଦିବସରେ ଓଡ଼ିଆଙ୍କ ଘରେ ଘରେ ଜମିଲା ପଖାଳର ଆସର। ସାମାଜିକ ଦୂରତ୍ୱ ପାଇଁ ସରକାର ଜାରି କରିଥିବା ଗାଇଡ୍‌ଲାଇନକୁ ମାନି ଲୋକେ ଘରେ ନିଜ ବନ୍ଧୁ ପ୍ରିୟଜନଙ୍କ ସହ ପଖାଳ ଦିବସ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସୁସ୍ବାଦୁ ପଖାଳ ପାଇଁ ପ୍ରସିଦ୍ଧ ରାଜଧାନୀର ଏକାମ୍ର ହାଟରେ ମଧ୍ୟ ଅଳ୍ପ ସଂଖ୍ୟାରେ ଲୋକେ ପଖାଳର ମଜା ନେଇଥିଲେ। ତେବେ କରୋନା ସଂକ୍ରମଣ ଭୟରେ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ପୂର୍ବରୁ ଆୟୋଜନ କରିବାକୁ ଥିବା ପଖାଳ ଦିବସ ଇଭେଣ୍ଟକୁ ବାତିଲ କରିଥିଲେ ମଧ୍ୟ ଏହି ଦିବସର କ୍ରେଜ୍‌ କିନ୍ତୁ ଲୋକଙ୍କ ମଧ୍ୟରେ କମି ନ ଥିଲା, ଯାହାକି ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ଘରେ ପଖାଳ ଖାଇ ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା ସହ ପରଷ୍ପରକୁ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ।
ପଖାଳ ଦିବସ ପାଇଁ ଏକାମ୍ର ହାଟରେ ଶୁକ୍ରବାର ଟିକେ ଗହଳି ଦେଖିବାକୁ ମିଳିଥିଲା। ଅନ୍ୟବର୍ଷ ଭଳି ନ ହେଲେ ବି ପଖାଳ ଖାଇବାକୁ ହାଟ ପରିସରରେ ଥିବା ବିଭିନ୍ନ ହୋଟେଲରେ ଭିଡ଼ ଲାଗିଥିଲା। ୩୦୦ରୁ ୪୦୦ ପରିବର୍ତ୍ତେ ଏଥର ମାତ୍ର ୫୦ରୁ ୬୦ଜଣ ଗ୍ରାହକ ହୋଇଥିବା ଏକାମ୍ର ହାଟର ଜଣେ ହୋଟେଲ ବ୍ୟବସାୟୀ କହିଥିବାବେଳେ ବଡ଼ ବଡ଼ ତାରକା ହୋଟେଲ ମଧ୍ୟ ଫାଙ୍କା ପଡ଼ିଥିଲା। ଏପଟେ କରୋନାକୁ ଦୃଷ୍ଟିରେ ରଖି ମାଇକେଲ୍‌ସ କିଚେନ୍‌ରେ ଆୟୋଜନ ହେବାକୁ ଥିବା ପଖାଳ ଫେଷ୍ଟିଭାଲକୁ ବାତିଲ କରାଯାଇଥିଲା। ଏପଟେ ଘରେ ଘରେ ପଖାଳ ସହ ଚୁନା ମାଛ, ଶାଗ ଭଜା, ବଡି ଚୁରା, କଖାରୁ ଫୁଲ ପିଠଉ, ଚିଙ୍ଗୁଡି ଛେଚା, ମାଛ ଭଜା ଏବଂ ଆଳୁ ଭରତା ଭଳି ଖାଣ୍ଟି ଓଡିଆ ଖାଦ୍ୟର ପସରା ଜମିଥିଲା।

Share