Categories: ରାଜ୍ୟ

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼ ଆକ୍ରମଣରେ ୨୧ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବନ ବିଭାଗ ଉକ୍ତ ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇନାହିଁ। ତେଣୁ ସ୍ଥାନୀୟ ଲୋକ ବନ ବିଭାଗ ଉପରୁ ଭରସା ତୁଟାଇ ପୂଜାପାଠ ଆରମ୍ଭ କରିଛନ୍ତି। ଶନିବାର ପଙ୍କପାଳ ଗ୍ରାମବାସୀ ହନୁମାନଙ୍କ ପୂଜା କରିଛନ୍ତି। ଏହି ଅବସରରେ ବିଗ୍ରହଙ୍କ ସ୍ନାନ, ହନୁମାନ ଚାଳିଷା ପାଠ, ହୋମଯଜ୍ଞ କରାଯାଇଛି। ସମିତି ସଭ୍ୟ ଅକ୍ଷୟ କୁମାର ସାହୁ, ଆଶୁତୋଷ କଣ୍ଠ, ୱାର୍ଡସଭ୍ୟ ନରେନ୍ଦ୍ର ନାୟକ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା କର, ଫକୀର ସାହୁ ପ୍ରମୁଖଙ୍କ ପରିଚାଳନାରେ ପୂଜା କରାଯାଇଥିଲା। ପଣ୍ଡିତ ତ୍ରିଲୋଚନ ମିଶ୍ର, ନୀରଞ୍ଜନ ଦାଶ ଓ ତରୁଣ ଦାଶ ପ୍ରମୁଖ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ତିଳୋତ୍ତମା କଣ୍ଠ, ଭାରତୀ ପରିଡା, ମିତାଲି ଦାଶ, ତରୁଲତା ଦାସ, ମମତା ଦାଶ, ସବିତା ଦାସ, ମୀନା ଦାସ, ପ୍ରଫୁଲ୍ଲ ମିଶ୍ର, ଟୁନି ସାହୁ, ନାରାୟଣ ସାହୁ, କମଳାକାନ୍ତ ମିଶ୍ର ପ୍ରମୁଖ ପୂଜାପାଠରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଉକ୍ତ ମାଙ୍କଡ଼କୁ କାବୁ କରିବା ଦାବିରେ ପଙ୍କପାଳ ଗ୍ରାମବାସୀଙ୍କ ସହ ଇନ୍ଦିରା କଲୋନୀର ଲୋକମାନେ ବହୁବାର ରାସ୍ତାରୋକୋ କରିଥିଲେ। ଏଥିସହ ବନ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନନ୍ଦନକାନନରୁ ଏକ ଟ୍ରାଙ୍କୁଲାଇଜର ଟିମ୍‌ ସହ ରାଜନଗରରୁ ମାଙ୍କଡ଼ ଧରାଳି ଦଳ ଆସି କେତୋଟି ମାଙ୍କଡ଼ ଧରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଆକ୍ରମଣ କରୁଥିବା ମାଙ୍କଡ଼ କାବୁ ହୋଇପାରିନାହିଁ। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ମାଙ୍କଡ଼ ଧରାପଡୁନାହିଁ। ଅନ୍ୟପକ୍ଷରେ ଆଉ ଦିନ କେଇଟା ପରେ ବିଦ୍ୟାଳୟ ଖୋଲିବାକୁ ଥିବାରୁ ମାଙ୍କଡ଼ ଭୟରେ ପିଲାଙ୍କୁ ଘରୁ ଛାଡ଼ିବାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି।

Share