ନୂଆଦିଲ୍ଲୀ,୨୮।୫: ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଏବେ ଭାରତର କିଛି ରାଜ୍ୟରେ ବ୍ୟାପିଯିବା ଫଳରେ ଏବେ ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟି ଯାଇଛି। କିଛିଦିନ ମଧ୍ୟରେ ଏହା ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିବା ଅନୁମାନ କରି ଗୁରୁବାର ଦିଲ୍ଲୀର ଶ୍ରମମନ୍ତ୍ରୀ ଗୋପାଳ ରାଏ ଏକ ଜରୁରୀ ବୈଠକର ଆୟୋଜନ କରିଥିଲେ। ପଙ୍ଗପାଳ ବିଶେଷ ଭାବେ ଚାଷ ନଷ୍ଟ କରୁଥିବାରୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନେଇ ମନ୍ତ୍ରୀ ଏହାର ମୁକାବିଲା ସମ୍ପର୍କରେ କଥା ହୋଇଛନ୍ତି। ଯେତେଶୀଘ୍ର କୃଷକ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏନେଇ କିଛି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନ୍ତ୍ରୀ କହିଛନ୍ତି। ଆବଶ୍ୟକସ୍ଥଳେ ପେଷ୍ଟିସାଇଡସ୍ ବା ଇନସେକ୍ଟିସାଇଡସ୍ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଏବେ ପଙ୍ଗପାଳ ଆକ୍ରମଣରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ଚାଷୀ ଚିନ୍ତାରେ ପଡିଯାଇଛନ୍ତି।