ପଙ୍ଗପାଳ ଦମନ ପାଇଁ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ଏବେ ବି ଓଡ଼ିଶାର କୃଷି ପାଇଁ ପଙ୍ଗପାଳ ବିପଦ ରହିଛି। ତେବେ ଏହି ପାକିସ୍ତାନୀ ପଙ୍ଗପାଳ ଦମନ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ ହୋଇଛି। ଯେଉଁଥିରେ ପଙ୍ଗପାଳକୁ କିପରି ଚିହ୍ନିହେବ ଓ କିପରି ଦମନ କରିହେବ ସେ ସମ୍ପର୍କରେ ସୂଚନା ଦିଆଯାଇଛି। ଓଡ଼ିଶାରେ ସମ୍ଭାବ୍ୟ ପଙ୍ଗପାଳକୁ ପ୍ରତିହତ କରିବା ପାଇଁ ଚାଷୀମାନେ ସତର୍କ ରହିବା ପାଇଁ କୁହାଯାଇଛି। ତେବେ ପ୍ରଥମେ ସେମାନେ ପଙ୍ଗପାଳ କି ଝିଣ୍ଟିକା ସେ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ। ଝିଣ୍ଟିକାଙ୍କ ନିଶ ବଡ଼ ବଡ଼, ରଙ୍ଗ ଫିକା ସବୁଜ କିମ୍ବା ଧୂସର ଓ ସେମାନେ ମିତ୍ର କୀଟ। କିନ୍ତୁ ଏବେ ଯେଉଁ ପଙ୍ଗପାଳ ଆସିବା ସମ୍ଭାବନା ଅଛି, ସେମାନଙ୍କ ରଙ୍ଗ ଇଷତ ଗୋଲାପୀ ଏବଂ ଡେଣାର ଆକାର ଝିଣ୍ଟିକା ତୁଳନାରେ ଲମ୍ବା ଓ ବଡ଼। ଝିଣ୍ଟିକା ଅଳ୍ପ ଦୂରକୁ ଡେଇଁ ଡେଇଁ ଯାଉଥିବା ବେଳେ ପଙ୍ଗପାଳ ଘଣ୍ଟାପ୍ରତି ୧୬ରୁ ୧୯କିମି ବେଗରେ ଦିନକୁ ପ୍ରାୟ ୧୫୦ରୁ ୨୦୦କିମି ଉଡ଼ିପାରନ୍ତି। ପଙ୍ଗପାଳ ଦଳଙ୍କ ଗତିବିଧି ସମ୍ପର୍କରେ ବିଭାଗ ପକ୍ଷରୁ ନିରନ୍ତର ଖବର ସଂଗ୍ରହ, ଆକଳନ ତଥା ତ୍ରିସ୍ତରୀୟ ପର୍ଯ୍ୟବେକ୍ଷଣ କରାଯାଉଛି। ଏନେଇ ଏକ କଣ୍ଟ୍ରୋଲ ରୁମ୍‌ (ନଂ.୦୬୭୪-୨୩୯୪୯୦୭) ଖୋଲାଯାଇଛି। ଏଥିସହିତ ‘ଆମ କୃଷି’ ନିଃଶୁଳ୍କ ନମ୍ବର ୧୮୦୦-୧୦୨-୫୧୬୬କୁ ଫୋନ୍‌ କରି ଚାଷୀମାନେ ପଙ୍ଗପାଳ ସମ୍ପର୍କରେ ସୂଚନା ଦେଇପାରିବେ। ପଙ୍ଗପାଳ ଦମନ ପାଇଁ ରାଜ୍ୟ ସରକାର କେତେକ ରାସାୟନିକ କୀଟନାଶକକକୁ ଅନୁମୋଦନ କରିଛନ୍ତି। ସେଗୁଡ଼ିକ ହେଲା କ୍ଳୋରୋପାଇରିଫସ୍‌, ଡେଲ୍‌ଟାମେଥ୍ରିନ, ଫିପ୍ରୋନିଲ, ଲାମ୍ବନାସାଇହାଲୋଥ୍ରିନ, ମାଲାଥିଅନ୍‌। ତେବେ ଏହା କେତେ ମାତ୍ରାରେ ସିଞ୍ଚନ କରିବ ତାହା କୃଷି କର୍ମଚାରୀଙ୍କଠାରୁ ବୁଝିବାକୁ ପଡ଼ିବ। ପଙ୍ଗପାଳ ପାଇଁ ବ୍ୟସ୍ତବିବ୍ରତ ନ ହୋଇ ସେମାନଙ୍କ ନିପାତ ସକାଶେ କୃଷି ବିଭାଗ ପରାମର୍ଶରେ ଏକଜୁଟ ହେବା ପାଇଁ କୁହାଯାଇଛି।

Share