Categories: ଜାତୀୟ

ପଛଘୁଞ୍ଚାର ପ୍ରଶ୍ନ ଉଠୁନି; ସିଏଏ ବିରୋଧୀ ବିକ୍ଷୋଭ ପଛରେ ୧୦୦ ପ୍ରତିଶତ ରାଜନୀତି: ଶାହା

ନୂଆଦିଲ୍ଲୀ,୧୮ା୧୨ (ଆଇଏଏନ୍‌ଏସ୍‌): ସିଏଏ ପଛରେ ୧୦୦ ପ୍ରତିଶତ ରାଜନୀତି ରହିଛି। କେତେକ ରାଜନୈତିକ ଦଳ ହିନ୍ଦୁ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ହିଂସା ଉସୁକାଉଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସମାଲୋଚନା କରିଛନ୍ତି। ଏହାସହ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ କୌଣସି ନାଗରିକ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ମୁମ୍ବାଇରେ ମଙ୍ଗଳବାର ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା କହିଛନ୍ତି, ନୂଆ ଆଇନରେ ସଂଖ୍ୟାଲଘୁ ବିରୋଧୀ କିଛି ନାହିଁ। ଏହି ଆଇନକୁ କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ। ବିରୋଧୀ ଦଳଗୁଡ଼ିକ ରାଜନୀତି ପାଇଁ ଏହାକୁ ନେଇ ମିଥ୍ୟା ପ୍ରଚାର ଚଳାଇଛନ୍ତି। ନାଗରିକ ଆଇନର ଆଇନଗତ ବୈଧତା ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। ସିଏଏକୁ ବିରୋଧ କରୁଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେବେ ହିଂସା ଓ ଜଳାପୋଡ଼ା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Share