Categories: ଖେଳ

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ ମାଥ୍ୟୁ ଓ୍ବାଡେଙ୍କ ଶତକ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୨୬୩ ରନ କରି ଆଉଆଉଟ ହୋଇଯାଇଛି। ଫଳରେ ୫ ମାଚ ବିଶିଷ୍ଟ ଆଶେସ ସିରିଜ ୨-୨ ସ୍ଥିତିରେ ଶେଷ ହୋଇଛି। ଗୋଟିଏ ଟେଷ୍ଟ ଅମୀମାଂସିତଭାବେ ଶେଷ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ଗତଥର ଚାମ୍ପିୟନ ଥିବାରୁ ଆଶେସ ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ଜୋଫ୍ରା ଆର୍ଚର ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ବେନ୍‌ ଷ୍ଟୋକ୍ସ ଓ ଷ୍ଟିଭେନ ସ୍ମିଥ ଯୁଗ୍ମଭାବେ ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୩୧୩/୮ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିଲା। ଅର୍ଥାତ୍‌ ଦଳ ୧୬ ରନ ଯୋଗକରି ଅବଶିଷ୍ଟ ୨ଟି ଉଇକେଟ ହରାଇଥିଲା। ପୂର୍ବ ଦିନ ଅପରାଜିତ ଥିବା ଦୁଇ ବ୍ୟାଟ୍ସମ୍ୟାନ ଜୋଫ୍ରା ଆର୍ଚର ୩ ଓ ଜ୍ୟାକ ଲିଚ୍‌ ୯ ରନ କରି ଆଉଟ ହୋଇଥିଲେ। ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିୟନ ଏହି ଉଇକେଟ ୨ଟି ପାଇଥିଲେ।
୪ର୍ଥ ଇନିଂସରେ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇ ନ ଥିଲା। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଚମତ୍କାର ବୋଲିଂ କରି ମାତ୍ର ୨୯ ରନ ମଧ୍ୟରେ ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ମାର୍କୁସ ହାରିସ ୯ ଓ ଡେଭିଡ ଓ୍ବାର୍ନର ୧୧ ରନ କରିବାକୁ ସକ୍ଷମ ହୋଇଥିଲେ। ଫର୍ମରେ ଥିବା ଦୁଇ ବ୍ୟାଟ୍ସମ୍ୟାନ ମାର୍ନୁସ ଲାବୁସ୍କାନ ୧୪ ଓ ଷ୍ଟିଭେନ ସ୍ମିଥ ୨୩ ରନ କରି ଆଉଟ ହେବାରୁ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମିଡଲ ଅର୍ଡରରେ ମାଥ୍ୟୁ ଓ୍ବାଡେ ଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ ହେଁ ମିଚେଲ ମାର୍ଶ ୨୪ ଓ ଟିମ୍‌ ପେନ୍‌ ୨୧ ରନ କରି ଆଉଟ ହେବାରୁ ଅଷ୍ଟ୍ରେଲିଆ ପରାଜୟ ଆଡ଼କୁ ମୁହାଁଇଥିଲା। ଓ୍ବାଡେ ଏଠାରେ ହାସଲ କରିଥିଲେ କ୍ୟାରିୟରର ୪ର୍ଥ ଟେଷ୍ଟ ଶତକ। ୧୪୭ ବଲ୍‌ର ସମ୍ମୁଖୀନ ହୋଇ ସେ ୧୫ ଚୌକା ଓ ୧ ଛକା ସହାୟତାରେ ଶତକ ପୂରଣ କରିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇ ପ୍ୟାଟ୍‌ କୁମିନ୍ସ ମାତ୍ର ୯ ରନ କରିଥିଲେ ହେଁ ୪୧ଟି ବଲ୍‌ ଖେଳି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଓ୍ବାଡେ ୧୧୭ ରନ କରି ଜୋ ରୁଟ୍‌ଙ୍କ ଶିକାର ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ ଜ୍ୟାକ ଲିଚ୍‌ ୪ଟି ଲେଖାଏ ଏବଂ ଜୋ ରୁଟ୍‌ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୯୪। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୨୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୨୯/ଅଲଆଉଟ(ଜୋ ଡେନ୍‌ଲି-୯୪, ବେନ୍‌ ଷ୍ଟୋକ୍ସ-୬୭, ଜୋସ ବଟଲର-୪୭, ନାଥାନ ଲିୟନ-୪/୬୯, ପ୍ୟାଟ୍‌ କୁମିନ୍ସ-୨/୬୭, ପିଟର ସିଡ୍‌ଡେ-୨/୫୨, ମିଚେଲ ମାଶର୍’-୨/୪୦)। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୨୬୩/ଅଲଆଉଟ(ଓ୍ବାଡେ-୧୧୭, ବ୍ରଡ୍‌-୪/୬୨, ଲିଚ୍‌-୪/୪୯, ରୁଟ୍‌-୨/୨୬)।

Share