ପଞ୍ଚମ ପାଳିରେ ନବୀନ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନଙ୍କ ସହ ୨୦ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୧ କ୍ୟାବିନେଟ୍‌ ପାହ୍ୟା ଓ ୯ ରାଷ୍ଟ୍ର ପାହ୍ୟା ମନ୍ତ୍ରୀପଦ ରହିଛି।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ପୁଣି ଶାସନ କ୍ଷମତାକୁ ଫେରିଛି ବିଜେଡି। ବିଶେଷକରି ମହିଳା କାର୍ଡ ଓ ନୂଆ ମୁହଁକୁ ପ୍ରାଧ୍ୟାନ୍ୟ ଦେଇଥିବା ନବୀନ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅନୁରୂପ ଭାବେ ଅଧିକ ନୂଆ ମୁହଁକୁ ସାମିଲ କରିଛନ୍ତି। ବିଶେଷ କରି କୌଣସି ମାମଲାରେ ଜଡ଼ିତ ହୋଇ ନ ଥିବା ଯୁବ ବିଧାୟକଙ୍କୁ ନବୀନ ଗୁରୁତ୍ୱ ଦେଇଛନ୍ତି। ଶପଥ ଗ୍ରହଣର ଦିନକ ପୂର୍ବରୁ ମଙ୍ଗଳବାର ମନ୍ତ୍ରୀ ପଦ ପାଇବା ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ପରେ ରାଜଭବନରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା।