ପଞ୍ଚରିଡା ବନାଞ୍ଚଳ: ପଥପାର୍ଶ୍ୱ ବନୀକରଣ ଦିଗହରା, ୨ ହଜାର ଗଛରୁ ବଞ୍ଚିଛି ମାତ୍ର ୨୦୦

ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳରେ ପଥପାର୍ଶ୍ୱ ବନୀକରଣ ଦିଗହରା ହୋଇପଡିଛି। ପ୍ରାୟ ୪ବର୍ଷ ତଳେ ଲଗାଯାଇଥିବା ଚାରା ବର୍ତ୍ତମାନ ସେଠାରେ ଦେଖିବାକୁ ମିଳୁନାହିଁ। ସବୁଜ ବନାନୀ ପାଇଁ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରୁ ନାହିଁ। ଏଥିରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବାରୁ ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ପ୍ରକାଶ ଯେ, ପଞ୍ଚରିଡ଼ା ବନାଞ୍ଚଳ ପକ୍ଷରୁ ବିରୁଡ଼ା ପଞ୍ଚାୟତର ବିରୁଡ଼ା (ଶ୍ୟାମଘନପୁର)ଠାରୁ କାଉତରା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବନବିଭାଗ ପକ୍ଷରୁ ପଥପାର୍ଶ୍ୱ ବନୀକରଣ କରାଯାଇଥିଲା। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୧୫-୧୬ ଆର୍ଥିକବର୍ଷରେ ଚାରା ରୋପଣ କରାଯାଇଥିଲା। ୨୦୦୦ ଚାରା ରୋପଣ କରାଯାଇଥିବା ବେଳେ ୪ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ସହିତ ମୋଟ ୧୬ ଲକ୍ଷ ୫୯ ହଜାର ୯୫୬ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ପଥପାର୍ଶ୍ୱରେ ନିମ୍ବ, ଆମ୍ବ, ଶାଗୁଆନ ଆଦି ଗଛ ଲଗାଯାଇଥିଲା। ୪ ବର୍ଷ ଭିତରେ ଗଛ ବଞ୍ଚାଇବା ଦାୟିତ୍ୱ ମଧ୍ୟ ବନ ବିଭାଗର ଥିଲା। ହେଲେ ବିଭାଗୀୟ ଅଣଦେଖା ଯୋଗୁ ବର୍ତ୍ତମାନ ୨୦୦୦ ଜାଗାରେ ମାତ୍ର ୨୦୦ ଗଛ ବଞ୍ଚତ୍ଥିବା ଦେଖିବାକୁ ମିଳିଛି। ବନବିଭାଗ ଯଦି ଠିକ୍‌ ଭାବେ ଏହାର ଦାୟିତ୍ୱ ନେଇଥାନ୍ତା ତେବେ ରାସ୍ତାପାର୍ଶ୍ୱରେ ଲାଗିଥିବା ଗଛ ବଞ୍ଚତ୍ଥାନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ୨୦୦୦ ଗଛ ବଦଳରେ ମାତ୍ର କିଛି ଗଛ ଲଗାଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରି ଟଙ୍କା ହଡ଼ପ କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହେଉଛି। ଏଥିରେ ଦୁର୍ନୀତର ଗନ୍ଧ ବାରି ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଏହାର ତଦନ୍ତ କରାଯିବା ସହିତ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପଞ୍ଚରିଡ଼ା ରେଞ୍ଜର ଅର୍ଚ୍ଚନା ଗମାଙ୍ଗଙ୍କୁ ପଚାରିବାରୁ ସେ କହିଥିଲେ, ଦୁଇମାସ ତଳେ ରେଞ୍ଜର ଭାବେ ଯୋଗ ଦେଇଥିବାରୁ ଏ ବିଷୟରେ ଜାଣି ନାହିଁ। ତଥାପି ଘଟଣା ବିଷୟରେ ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଥିଲେ।

Share