ପଞ୍ଚାନନଙ୍କ ଚିତ୍ରକଳା ‘ୱାନ୍‌ନେସ୍‌’ ପୁସ୍ତକରେ ସ୍ଥାନ ପାଇଲା

ପୁରୁଣା ଭୁବନେଶ୍ୱର,୨୯।୧  (ଡି.ଏନ.ଏ.):ପୁଡୁଚେରିର ଆରୋଧନ ଗ୍ୟାଲେରୀ ଦ୍ୱାରା ବିଶ୍ୱର କେତେଜଣ ବିଶିଷ୍ଟ ଚିତ୍ରକର, ମୂର୍ତ୍ତିିକାର, ନୃତ୍ୟଶିଳ୍ପୀ, ଲେଖକ, ଅଭିନେତା, ଫଟୋ ଗ୍ରାଫର ଓ ସଙ୍ଗୀତ ଶିଳ୍ପୀଙ୍କ କୃତୀକୁ ନେଇ ‘ୱାନ୍‌ନେସ୍‌’ ଶୀର୍ଷକ ରଙ୍ଗୀନ ପୁସ୍ତକ ପ୍ରକାଶ ପାଇଛି। ଏହି ପୁସ୍ତକରେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଚିତ୍ରକଳା ଓ ତାଙ୍କ କୃତୀ ବିଷୟରେ ତଥ୍ୟ ପ୍ରକାଶ ପାଇଛି। ଉକ୍ତ ପୁସ୍ତକକୁ ଭାରତର ବର୍ଷିୟାନ ରାଜନେତା ଓ ଲେଖକ ଡ. କରଣ ସିଂ, ପୁଡୁଚେରି ରାଜ୍ୟପାଳ କିରଣ ବେଦୀ ଏବଂ ବିଶିଷ୍ଟ କଥାକାର, ପଦ୍ମଭୂଷଣ ଡ. ମନୋଜ ଦାସ ଅନୁଷ୍ଠିତ ସମାରୋହରେ ପୁସ୍ତକର ଉନ୍ମୋଚନ କରିଥିଲେ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଶିଳ୍ପୀମାନଙ୍କ ସଜୃନଶୀଳ ସୃଷ୍ଟି ଆମ ସମାଜକୁ ସରସ ଓ ସୁନ୍ଦର କରି ଗଢି ତୋଳେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନିଜର ଏକ ଚିତ୍ର ପୁସ୍ତିକା ଅତିଥିମାନଙ୍କୁ ସାମଲ ପ୍ରଦାନ କରିଥିଲେ। ଉକ୍ତ ପୁସ୍ତକରେ ଅନ୍ୟମାନଙ୍କ ମଧ୍ୟରେ ଚେକୋସ୍ଲୋଭାକିଆର ଶିଳ୍ପୀ ଇଭାନା ପ୍ରୋସଭା, ଜର୍ମାନୀର ଆଲ୍‌ଫେଡ୍‌ ବେଷ୍ଟ ଓ ହେଲ୍‌ଗ୍ରଡ଼ ଜୁମୁଲ, ଆମେରିକାର କଟରିନ୍‌ ମାୟାର, ସୁଇଜରଲ୍ୟାଣ୍ଡର ପିଏର ମାର୍କସ ଓ ଅଷ୍ଟ୍ରିୟାର ବିର୍ଜତ୍ତା ଭାଲାଜ୍‌ ପ୍ରମୁଖ ୨୫ ଜଣ ବିଦେଶୀ ଶିଳ୍ପୀଙ୍କ କଳାକୃତୀ ସ୍ଥାନୀତ ହୋଇଛି। ଏହି ପୁସ୍ତକ ଜରିଆରେ ଭାରତୀୟ କଳା ଓ ସଂସ୍କୃତିର ପ୍ରସାର ବିଦେଶ ମାଟିରେ ହେବ ବୋଲି ଆରୋଧନ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଲଳିତ ବର୍ମା ପ୍ରକାଶ କରିଛନ୍ତି।

Share