Categories: ଖେଳ

ପଞ୍ଚାଲ, ଈଶ୍ୱରନଙ୍କ ଶତକ: ଭାରତ ଏ’-୩୭୬/୧

ବେଲାଗାଭି, ୨୬ା୫ (ପି.ଟି.)- ଶ୍ରୀଲଙ୍କା ଏ’ ବିପକ୍ଷ ପ୍ରଥମ ଅନ୍‌ଅଫସିଆଲ ଟେଷ୍ଟ ମ୍ୟାଚରେ ଓପନର ପ୍ରିୟାଙ୍କ ପଞ୍ଚାଲ ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ଶତକ ସହାୟତାରେ ଭାରତ ଶନିବାର ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୩୭୬ ରନ କରିଛି। ପ୍ରଥମ ଦିବସ ଖେଳ ଷ୍ଟମ୍ପ୍ସ ଅପସାରଣ ବେଳକୁ ଈଶ୍ୱରନ ୨୫୦ ବଲ୍‌ରୁ ୧୭ ଚୌକା ସହ ୧୮୯ ରନ ଏବଂ ଜୟନ୍ତ ଯାଦବ ୬ ରନ କରି ଅପରାଜିତ ରହିଥିଲେ। ପଞ୍ଚାଲ (୨୬୧ ବଲ୍‌ରୁ ୧୬୦ ରନ) ଏବଂ ଈଶ୍ୱରନ ଓପନିଂ ଉଇକେଟ ପାର୍ଟନରଶିପ୍‌ରେ ୩୫୨ ରନ ଯୋଗ କରିଥିଲେ। ବେଲାଗାଭି ହେଉଛି ପଞ୍ଚାଲଙ୍କ ହାପି ହଣ୍ଟିଂ ଗ୍ରାଉଣ୍ଡ। ଏଠାରେ ସେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିପାରିଛନ୍ତି। ୨୦୧୬ ଡିସେମ୍ବରରେ ତାମିଲନାଡୁ ବିପକ୍ଷ ରଣଜୀ ମ୍ୟାଚରେ ସେ ୧୧୩ ରନ କରିଥିଲେ। ଏକ ରଣ୍‌ଜୀ ସିଜନରେ ୧୦୦୦ ରନ ସଂଗ୍ରହ କରିବାରେ ପଞ୍ଚାଲ ହେଉଛନ୍ତି ଗୁଜରାଟର ପ୍ରଥମ ବ୍ୟାଟ୍ସମ୍ୟାନ। ପଞ୍ଚାଲ ତାଙ୍କ ୨୬୧ ବଲ୍‌ର ଆକର୍ଷଣୀୟ ଇନିଂସରେ ୨ ଛକା ଏବଂ ୯ ଚୌକା ଲଗାଇଥିଲେ। ଭାରତ ଏ’ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପଞ୍ଚାଲ ଓ ଈଶ୍ୱରନ ମଧ୍ୟାହ୍ନଭୋଜନ ସୁଦ୍ଧା ବିନା କୌଣସି ଉଇକେଟରେ ୧୧୩ ରନ ଯୋଗ କରିଥିଲେ। ମଧ୍ୟାହ୍ନଭୋଜନର ପରବର୍ତ୍ତୀ ସେସନରେ ଉଭୟ ଓପନର ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବା ସହ କୌଣସି ଉଇକେଟ ନ ହରାଇ ଆହୁରି ୧୨୫ ରନ ଯୋଗ କରିଥିଲେ। ଚା’ ପାନ ବିରତି ବେଳକୁ ଉଭୟ ପଞ୍ଚାଲ ଓ ଈଶ୍ୱରନ ଶତକ ହାସଲ କରି ସାରିଥିଲେ ଏବଂ ଯଥାକ୍ରମେ ୧୦୧ ଓ ୧୨୫ ରନ କରି ଅପରାଜିତ ରହିଥିଲେ। ଏହି ଓପନର ଦ୍ୱୟଙ୍କ ଉପରେ ପ୍ରଭାବ ଜାହିର କରିବାରେ ଶ୍ରୀଲଙ୍କା ବୋଲରମାନେ ବିଫଳ ହୋଇଥିଲେ। ତେବେ ପଞ୍ଚାଲ ବିଶ୍ୱ ଫର୍ନାଣ୍ଡୋଙ୍କ ଦ୍ୱାରା ନିରୋଶାନ ଡିକ୍‌ଓ୍ବେଲାଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଥିଲେ।

Share