ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପଞ୍ଚାୟତସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ପଞ୍ଚାୟତୱାରୀ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ୬୭୯୮ ପଞ୍ଚାୟତରେ ୨,୨୨,୯୬୩ ଶଯ୍ୟା ପ୍ରସ୍ତୁତ କରାଯାଇଛି। ରାଜ୍ୟ ବାହାରେ ଶ୍ରମିକ, କର୍ମଚାରୀ, ଛାତ୍ରୀଛାତ୍ର ମଧ୍ୟ ରହିଛନ୍ତି। ସେମାନେ ସବୁ ଏକ ସଙ୍ଗରେ ଆସିବେ, ଏହା ଦ୍ୱାରା ଗ୍ରାମାଞ୍ଚଳରେ ଭିଡ ମଧ୍ୟ ହେବ। ଏହି ସମୟରେ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ପଞ୍ଚାୟତିରାଜ ବିଭାଗ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଏଣିକି ପଞ୍ଚାୟତସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରି(ଟିଏମ୍‌ସି) କରାଯିବ। ପଞ୍ଚାୟତରେ ବାହାରୁ ଫେରୁଥିବା ଲୋକମାନଙ୍କ ସଂଖ୍ୟା ଦେଖି ଏହାର ଆକାର ସ୍ଥିର କରାଯିବ। ଗ୍ରାମାଞ୍ଚଳରେ ଥିବା ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ, କଲ୍ୟାଣମଣ୍ଡପରେ ଏହା କରାଯିବ। ଏହା ଗାଁରେ ବାହାରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ, ଚତୁର୍ଥ ରାଜ୍ୟ ଅର୍ଥ କମିଶନ ରୁ ପ୍ରଦାନ କରାଯିବ। ସିଭିଲ ସମ୍ବନ୍ଧୀୟ ନିର୍ମାଣକୁ ବାଦ୍‌ ଦେଲା ପରେ ଅତିରିକ୍ତ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପ୍ରଦାନ କରାଯିବ। ଏହି ପାଣ୍ଠି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜିଲାୱାରୀ ଅନୁମୋଦନ କରାଯିବ। ସେହିପରି ରାଜ୍ୟରେ ମେ’୩ ପରେ ଲକ୍‌ଡାଉନ ବୃଦ୍ଧି ହେବ ନା ନାହିଁ , ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚଳିତ ମାସ ୨୭ରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ବୋଲି ଜଣାପଡିଛି।

Share