ପଞ୍ଚାୟତସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ:ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଦରକାର

ନୂଆପଡା ଅଫିସ,୨୫ା୮
ନୂଆପଡା ଜିଲା କୁରୁମପୁରୀ ଭଳି ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଉନ୍ନତିର ଆବଶ୍ୟକତା ରହିଛି । ଏଥିପାଇଁ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ କରିବା ଜରୁରୀ । ଏଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ଶନିବାର ସ୍ଥାନୀୟ କୁରୁପୁରୀଠାରେ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅତିିଥିମାନେ ଯୋଗଦେଇ ଏହି ମତ ଦେଇଛନ୍ତି ।
ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ସରପଞ୍ଚ ଇନେଶ୍ୱରୀ ଅହୀର ସଭାପତିତ୍ୱ କରିଥିବା ବେଳେ ଜିଲା ପରିଷଦ ସଭ୍ୟ ସୁଶୀଲ ଅହୀର ମୁଖ୍ୟ ଅତିଥି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପେଶ୍ୱର ବ୍ରହ୍ମା, ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟାସଭ୍ୟଙ୍କ ସମେତ ୧୬ଟି ବିଦ୍ୟାଳୟ ପ୍ରଧାନଶିକ୍ଷକ ସମୂହ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ସୁବଳ ଶ୍ୟାମ ପଣ୍ଡା ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକମାନେ ବିଦ୍ୟାଳୟଗୁଡିକରେ ପାଚେରି, ଶ୍ରେଣୀ କୋଠରି, ଶୌଚାଳୟ, ରୋଷେଇ ଘର, ରାସ୍ତା ଆଦି ଅବସ୍ଥା ରହିଥିବା ସମସ୍ୟା ଉପରେ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷେ ଅତିଥିମାନେ ବର୍ତ୍ତମାନ ସରକାର ପଞ୍ଚାୟତକୁ ସବୁ କ୍ଷମତା ଦେଇଥିବାବେଳେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଗକୁ ସବୁ ପ୍ରକାର ଉନ୍ନତି ପାଇଁ ଧ୍ୟାନ ଦିଆଯିବ ବୋଲି କହିଥିଲେ । ବିଦ୍ୟାଳୟଗୁଡିକ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଆମରି କର୍ତ୍ତବ୍ୟ ବୋଲି କହିଥିଲେ। ସେହିଭଳି ବିଦ୍ୟାଳୟଗୁଡିକ ଉପରେ ଅଞ୍ଚଳର ପ୍ରାଥମିକ ଶିକ୍ଷା ନିର୍ଭର କରୁଛି । ତେଣୁ ଗୁଣାତ୍ମକ ଶିକ୍ଷା କିପରି ହୋଇପାରିବ ସେଥିପ୍ରତି ଶିକ୍ଷକ, ଅଭିଭାବକମାନଙ୍କ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିଥିଲେ। ସରପଞ୍ଚ ଅହୀର ସମସ୍ୟାଗୁଡିକର ସମାଧାନ ପର୍ଯ୍ୟାୟକ୍ରମେ କରାଯିବ ବୋଲି କହିଥିଲେ । ଏଥିପାଇଁ ସବୁ ପ୍ରକାର ପ୍ରୟାସ କରିବେ ବୋଲି କହିଥିଲେ। ଚତୁର୍ଦ୍ଦଶ ଅର୍ଥକମିଶନରୁ ସମସ୍ତ ସ୍କୁଲକୁ ଗ୍ୟାସ ସଂଯୋଗ ଦିଆଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ଅଭିଭାବକମାନେ ଯୋଗଦେଇଥିଲେ। ଶେଷରେ ସୁବଳ ଶ୍ୟାମ ପଣ୍ଡା ଧନ୍ୟବାଦ ଦେଇଥିଲେ।