ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ପଏଣ୍ଟ ଅଫ ଅର୍ଡର ଆଣି ନନ୍ଦନକାନନ ସୁରକ୍ଷା ବିଷୟରେ କହିଥିଲେ। ବାତ୍ୟା ଫନୀ ଯୋଗୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନେକ ଗଛ ଭାଙ୍ଗିଯାଇଛି। ବହୁ ପଶୁ, ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଆଉ ପଶୁ ଏବଂ ପକ୍ଷୀ ଆଣିବା ବ୍ୟବସ୍ଥା କରାଯାଉନାହିଁ। ଏହା ରାଜ୍ୟର ଜଣାଶୁଣା ପର୍ଯ୍ୟଟନସ୍ଥଳୀ। ବାହାର ରାଜ୍ୟରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ବିଭାଗୀୟ ମନ୍ତ୍ରୀ କେମିତିକା ଲୋକ, ଏନେଇ ଟିକେ ହେଲେ ଚିନ୍ତା କରୁହାନ୍ତି। ତୁରନ୍ତ ଏ ଦିଗରେ ଗୁରୁତ୍ୱ ଦେବା ପାଇଁ ସୁରେଶ କହିଥିଲେ। ଏହାପରେ ଉପରୋକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟ ବିଷ୍ଣୁଚରଣ ସେଠୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବିକୁ ସମର୍ଥନ କରୁ ନ ଥିବା କହିଥିଲେ। ସେ କହିଥିଲେ ଯେ, କାମଚଳା ମନ୍ତ୍ରୀ ଯେଉଁ ବଜେଟ୍‌ ଆଗତ କରିଛନ୍ତି, ସେଥିରେ କେବଳ ଭୁଲ୍‌ ତଥ୍ୟ ଦିଆଯାଇଛି। ୭୨ବର୍ଷ ତଳେ ଦେଶକୁ ଦଳେ ଗୋରା ସାହେବ ଶାସନ କରୁଥିଲେ। ବର୍ତ୍ତମାନ କେତେଜଣ କୃଷ୍ଣ ସାହେବ ଶାସନ ଚଳାଇଛନ୍ତି। ପିସି ଦେଇଦେଲେ ସରକାରୀ ଯୋଜନା ମିଳିବାରେ ଅସୁବିଧା ନାହିଁ। ଘର ନ କଲେ ମଧ୍ୟ ସରକାରୀ ଯୋଜନାରେ ଗୃହ ନିର୍ମାଣ ପାଇଁ ବିଲ୍‌ ମିଳିଯିବ। ଏହି ଅବସରରେ ଜଣେ ମହିଳା ଖବରଦାତାଙ୍କୁ ପାଟକୁରାରେ ଆକ୍ରମଣ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଭାଗର ବିଭିନ୍ନ ପ୍ରକାର ଅନିୟମିତତାର ତଥ୍ୟ ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏହାସହ ଆଦିବାସୀଙ୍କ ସଶକ୍ତୀକରଣ ଓ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପେସା(ପଞ୍ଚାୟତ ଏକ୍ସଟେନଶନ ଟୁ ଦି ସିଡ୍ୟୁଲ ଏରିଆଜ୍‌) ଆଇନ କଥା ଉଠାଇଥିଲେ। ପେସା ଆଇନ ପାର୍ଲାମେଣ୍ଟରେ ପାସ୍‌ ହୋଇଯାଇଛି। ଏହାର ରୁଲ୍‌ ରେଗୁଲେଶନ ରାଜ୍ୟ କରିବା କଥା। ଏହାହେଲେ ଆଦିବାସୀ ଜିଲାଗୁଡିକ ଅଧିକ କ୍ଷମତା ପାଇପାରିବେ। ସେଥିର ସବୁ ପଦ ପଦବୀରେ ଏସ୍‌ସି, ଏସ୍‌ଟି ରହିବେ। ସେହିପରି ପଞ୍ଚାୟତ ଆକ୍ଟ ଆମେଣ୍ଡମେଣ୍ଟ କରାଯିବା କଥା ମଧ୍ୟ କହି ସେ ବର୍ଷିଥିଲେ। ନରସିଂହ ଆହୁରି କହିଥିଲେ ଯେ, ପିଇବା ପାଣି କଥା ଉଠିଲେ ବଲାଙ୍ଗୀର ଜିଲା ସିକାପାଲି ବ୍ଲକ କଥା ମନେପଡ଼େ। ପ୍ରଥମେ ସେଠାକାର ଲୋକେ ପଥର ଖାଇ ବଞ୍ଚୁଥିଲେ। ଶେଷରେ ପାଣି ପିଇ ବହୁ ଲୋକ ମରିଲେ। ମୁଖ୍ୟମନ୍ତ୍ରୀ ପାଣି ସମସ୍ୟା ସମାଧାନ ପାଇଁ ରାଜି ହୋଇଗଲେ। ମାତ୍ର ଟେଣ୍ଡର ପ୍ରକ୍ରିୟାକୁ ନେଇ ସରକାରୀ ଖେଳ ଚାଲିଲା। ଏବେ ମଧ୍ୟ ସେହି ମାମଲା କୋର୍ଟରେ ଅଛି। ଏହି ଘଟଣାକୁ ୧୫ ବର୍ଷ ହୋଇଗଲା, ଅର୍ଥାତ୍‌ ସେହି ଗ୍ରାମ ଲୋକ କେବେହେଲେ ଭଲ ପାଣି ପିଇବେନାହିଁ। ଅନ୍ୟପଟେ ନାଥୁରାମ ଗଡ୍‌ସେଙ୍କ ମନ୍ଦିର ଭାଜପା ତିଆରି କରିବାକୁ ଚାହୁଁଥିବା କହି ସେ ବର୍ଷିଛନ୍ତି।

Share