ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ

ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅଧିକାରୀମାନେ ନିରାଶ ହୋଇ ଫେରିଥିଲେ।
ଅନିୟମିତତା ନେଇ ଗତ ଅକ୍ଟୋବର ୧୨ ତାରିଖରେ ବାଲେଶ୍ୱର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ବିଭାଗର ଏସ୍‌ଡିପିଓ ନାରାୟଣ ଚନ୍ଦ୍ର ବେହେରା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତକୁ ତଦନ୍ତ ନିମନ୍ତେ ପହଞ୍ଚିଥିଲେ। ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖି ଏ ବିଷୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରି ବିଫଳ ହେଇଥିଲେ। କୈାଣସି ପ୍ରକାର କାଗଜ ପତ୍ର ନ ପାଇ ବାଧ୍ୟ ହୋଇ ଫେରି ଯାଇଥିଲେ।
ପ୍ରକାଶଥାଉ କି, ଦୀର୍ଘ ୭ରୁ ୮ ମାସ ଧରି ପଞ୍ଚାୟତର ମାସିକ ବୈଠକ ନ ହେବା, ଆୟବ୍ୟୟର ହିସାବ ଦିଆ ନ ଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇ ଅସମ୍ପୂର୍ଣ୍ଣ ଘରର ବିଲ୍‌ କରାଯିବା,ସରକାରୀ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରାଯିବା, ଆମ ଗାଁ ଆମ ବିକାଶ ଯୋଜନାରେ ବଉଳାଣି ଗ୍ରାମର ବ୍ୟକ୍ତିଗତ ଜାଗା ଉପରେ ଏକ କୋଠଘର ନିର୍ମାଣ କରାଯିବା, ଗୋଟିଏ ଜମି ଉପରେ ଗୋଟିଏ ପରିବାରରେ ୩ଜଣଙ୍କ ନାମରେ ୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ କରାଯିବା, ବିଜୁ ଯୁବ ବାହିନୀ ମାଧ୍ୟମରେ ବୃକ୍ଷରୋପଣ ନିମନ୍ତେ ଆସିଥିବା ସରକାରୀ ଅନୁଦାନ ୧ ଲକ୍ଷ ୬୦ ହଜାର ଟଙ୍କା ହଡପ କରାଯିବା ନେଇ ଅଭିଯୋଗ ହୋଇଥିଲା। ପଞ୍ଚାୟତର ସମିତି ସଭ୍ୟ ରାଜେନ୍ଦ୍ର ଜେନାଙ୍କ ସହିତ ସୁକାନ୍ତି ଜେନା, ସଞ୍ଜିତା ସେଠୀ, ଅର୍ଜୁନ ଦାସ, ସୁଦାମ ଘୋଷ ଓ ମଦନ ମୋହନ ବେହେରାଙ୍କ ସମେତ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ପାଇ ଆସିଥିବା ଏସ୍‌ଡିପିଓ ନାରାୟଣ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ପୂର୍ବରୁ ପତ୍ର ମାଧ୍ୟମରେ ଗସ୍ତ ସମ୍ପର୍କରେ ଅବଗତି କରାଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁ ସେ କ୍ଷୋଭ ପ୍ରକାଶ କରିବା ସହିତ ଏ ବିଷୟରେ ଉପଜିଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଥିଲେ। ଉପଜିଲାପାଳ ନିଲୁ ମହାପାତ୍ରଙ୍କ ମତାମତ ନେବାରୁ ପଞ୍ଚାୟତିରାଜ ବିଭାଗର ଏସ୍‌ଡିପିଓଙ୍କ ରିର୍ପୋିକ୍ରମେ ସେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।