ପଞ୍ଚାୟତ କ୍ଷମତାକୁ ସଙ୍କୁଚିତ କରୁଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୫ା୩(ବ୍ୟୁରୋ): ପଞ୍ଚାୟତିରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ଶାସନକୁ ବିକେନ୍ଦ୍ରୀକରଣ କରିବା। ଏହା ହେଲେ ସାଧାରଣ ଜନତାଙ୍କ ପାଖରେ ଯୋଜନା ପହଞ୍ଚିବାରେ ସହଜ ହୋଇପାରିବ। କିନ୍ତୁ ରାଜ୍ୟରେ ଦିନକୁ ଦିନ ପଞ୍ଚାୟତ କ୍ଷମତାକୁ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି। ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରିବା ବଦଳରେ ସରକାର ଲୋକସେବା ଭବନରେ କେନ୍ଦ୍ରୀକରଣ କରିବାରେ ଲାଗିଛନ୍ତି। ଗାଁର କଥା ଗାଁରେ ନୁହେଁ ରାଜଧାନୀରୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ପଞ୍ଚାୟତ କ୍ଷମତାକୁ ସଙ୍କୁଚିତ କରି ସେଗୁଡିକୁ ପଙ୍ଗୁ କରୁଛନ୍ତି ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି ଯେ ବିଜେଡି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦଳର ସ୍ବାର୍ଥ ରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରୁଛିି। ଅଫିସର ରାଜ ଚଳାଇବା ପାଇଁ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ବିଜେଡିର ସ୍ବାର୍ଥ ରକ୍ଷା ପାଇଁ ଗ୍ରାମର ବିକାଶ ଓ ପଞ୍ଚାୟତ ଜନପ୍ରତିନିଧି ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ଜିଲା ପରିଷଦ ସଦସ୍ୟଙ୍କୁ ସମ୍ପୂର୍ଣ୍ଣରୂପେ ଅଣଦେଖା, ଅବହେଳିତ ଓ ଅପମାନିତ କରିବା ଏ ସରକାରର ପ୍ରାଥମିକତା। ବିଜୁ ଜୟନ୍ତୀକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି। ମାତ୍ର ବାସ୍ତବରେ ଏଭଳି କରି ଯୋଜନାବଦ୍ଧ ଭାବେ ପଞ୍ଚାୟତକୁ ପଙ୍ଗୁ କରିବାକୁ ଚେଷ୍ଟା କରାଯାଉଛି। ପଞ୍ଚାୟତଗୁଡିକୁ କେନ୍ଦ୍ର ସରକାର ୪୦ ଲକ୍ଷ ପରିବର୍ତ୍ତେ ୧କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଏହାକୁ ଖର୍ଚ୍ଚ କରିବାର କ୍ଷମତା ପଞ୍ଚାୟତକୁ ଦିଆଯାଇଛି। କିନ୍ତୁ ସରକାର ପର୍ଯାୟକ୍ରମେ ପଞ୍ଚାୟତକୁ ତା’ର ଅଧିକାରରୁ ବଞ୍ଚିତ କରି ସେହି ଅର୍ଥକୁ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି ବୋଲି ସମୀର କହିଥିଲେ।

Share