ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର ଚାକିରିରୁ ବହିଷ୍କୃତ କରାଯାଇଛି। ଧର୍ମା ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ରାସ୍ତା କାର୍ଯ୍ୟ ବିଲ୍‌ କରାଇ ଦେବା ପାଇଁ ବୁଶାମରା ଗ୍ରାମର ଘାସିରାମ ବେହେରାଙ୍କ ନିକଟରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବାଲେଶ୍ୱର କାର୍ଯ୍ୟାଳୟରେ ଏ ନେଇ ଏକ ମାମଲା ମାର୍ଚ୍ଚ ମାସରେ ରୁଜୁ କରିଥିଲା। ଯାହାର ବିଚାର ପରେ ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଶୁଣାଣି କରି ଜୁନ୍‌ ୨୧ରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ ପରେ ଅଭିଯୁକ୍ତଙ୍କ ପକ୍ଷ ରଖିବାକୁ ଗତ ନଭେମ୍ବର ୨୮ତାରିଖରେ ଧର୍ମାଙ୍କୁ ସୁଯୋଗ ଦେଇଥିଲେ। ସେ ମୟୂରଭଞ୍ଜ ଜିଲାପାଳଙ୍କ କୋର୍ଟରେ ନିଜର ପକ୍ଷ ରଖିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଦଣ୍ଡିତ ହୋଇ କାର୍ଯ୍ୟାଳୟରେ ଅନ୍ୟ ସହଯୋଗୀଙ୍କ ସହିତ କାର୍ଯ୍ୟ କଲେ ଖରାପ ପରମ୍ପରା ସୃଷ୍ଟି ହେବ ବୋଲି ଜିଲାପାଳ ହୃଦବୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।