Categories: ଗଞ୍ଜାମ

ପଞ୍ଚାୟତ ସମ୍ମୁଖରୁ ଜବରଦଖଲ ହଟିଲା

ବେଗୁନିଆପଡ଼ା,୧ା୯(ଡି.ଏନ.ଏ.)-ଦୀର୍ଘଦିନ ପରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶନିବାର ଜବରଦଖଲ ହଟିଛି। ପୋଲିସ ଓ ପ୍ରଶାସନ ସହାୟତାରେ ଏହା ହଟାଯାଇଛି। ସୁମଣ୍ଡଳଠାରୁ ଶାଳିଆ ଡ୍ୟାମ ପର୍ଯ୍ୟନ୍ତ ୧୦ କୋଟି ୯୨ ଲକ୍ଷ ଟଙ୍କା ଅନୁଦାନରେ ୨୦୧୬ରୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣବେଳେ ଅଙ୍ଗାରଗଁାବଜାରଠାରେ ଜବରଦଖଲ ଉଚ୍ଛେଦବେଳେ ଅସନ୍ତୋଷ ଦେଖା ଦେଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ଲାଗି ଜନୈକ ବ୍ୟକ୍ତି ଦୋକାନ ଘର ଭାଙ୍ଗିବାକୁ ମନା କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରେ ସେ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିଲେ। ସ୍ଥାନୀୟ ସରପଞ୍ଚ ହାଇକୋର୍ଟରେ ଏହା ଜବରଦଖଲ ଦର୍ଶାଇ ପ୍ରମାଣ ଦେବାପରେ କୋଦଳା ତହସିଲଦାରଙ୍କୁ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ଜବରଦଖଲ ଉଚ୍ଛେଦ ନ ହେବାରୁ ଅଙ୍ଗାରଗାଁରେ ରାସ୍ତା କାମ ଓ ଜଳ ଯୋଗାଣ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଥିଲା। ଏହାର ସମାଧାନ ପାଇଁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅଙ୍ଗାରଗାଁଠାରେ ଜନ ପ୍ରତିନିଧି ଓ ଲୋକମାନଙ୍କୁ ଡାକି ସମାଧାନ ପାଇଁ ପଦକ୍ଷେପ ନେବାସହ ପ୍ରଶାସନ ସହ ଆଲୋଚନା କରିଥିଲେ। ଶନିବାର ପୋଲିସ ଓ ପ୍ରଶାସନ ପକ୍ଷରୁ ଅଙ୍ଗାରଗଁାଠାରେ ପଞ୍ଚାୟତ ସମ୍ମୁଖରେ ଥିବା ଜବରଦଖଲ ଘରକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦବେଳେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।