Categories: ଜାତୀୟ

ପଞ୍ଜାବରେ ଆତଙ୍କବାଦୀଙ୍କ ଅନୁପ୍ରବେଶ: ବଡ଼ ଧରଣର ଆକ୍ରମଣ ଆଶଙ୍କା

ଚଣ୍ଡିଗଡ଼,୧୬।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଫଳରେ ପାକିସ୍ତାନ ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଛି। ଏଥିସହ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ବୁଧବାର ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ପଞ୍ଜାବ ଓ ଆଖପାଖ ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି। ସେମାନେ ସୁରକ୍ଷା ସ୍ଥାନଗୁଡ଼ିକରେ ଆକ୍ରମଣର ଯୋଜନା କରୁଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପଠାନକୋଟ, ଜମ୍ମୁ, ଶ୍ରୀନଗର ଓ ଅବନ୍ତିପୁରାର ସୁରକ୍ଷା ସ୍ଥାନଗୁଡିକରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ୨୦୧୬ରେ ପଠାନକୋଟର ଯୁଦ୍ଧ ବିମାନ ଘାଟିରେ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜୈସ-ଇ-ମହମ୍ମଦର ୪ ସଦସ୍ୟ ସାମିଲ ଥିଲେ।

Share