Categories: ଜାତୀୟ

ପଞ୍ଜାବରେ ନାଇଟ୍‌ କର୍ଫ୍ୟୁ ଲାଗୁ

ଚଣ୍ଡିଗଡ଼,୪।୧: ଦେଶରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦୃତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଙ୍ଗଳବାର ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ପରେ ଏହି ଘୋଷଣା କରାଯାଇଛି। ଏହି କଟକଣା ଜାନୁୟାରୀ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଜାରି କରାଯାଇଥିବା ନିୟମ ଅନୁଯାୟୀ, ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଅଫଲାଇନ କ୍ଲାସ ବନ୍ଦ ରହିବ ଏବଂ ଭର୍ଚୁଆଲ କ୍ଲାସ ଜାରି ରହିବ। ମେଡିକାଲ ଏବଂ ନର୍ସିଂ କଲେଜଗୁଡିକ ସାଧାରଣ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ରାତି ୧୦ ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ବାର୍‌, ସିନେମା ହଲ, ମଲ୍ଟିପ୍ଲେକ୍ସ, ମଲ, ରେଷ୍ଟୁରାଣ୍ଟ, ସ୍ପା, ସଂଗ୍ରହାଳୟ ଏବଂ ପ୍ରାଣୀ ଉଦ୍ୟାନଗୁଡିକ ୫୦% କ୍ଷମତାରେ କାର୍ଯ୍ୟ କରିବେ। କେବଳ ଟିକାନେଇଥିବା କର୍ମଚାରୀଙ୍କୁ ସରକାରୀ ତଥା ଘରୋଇ କାର୍ଯ୍ୟାଳୟରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ତେବେ ରାଜନୈତିକ ବୈଠକ କିମ୍ବା ସମାବେଶକୁ ନେଇ କୌଣସି ପ୍ରତିବନ୍ଧକ ଘୋଷଣା କରାଯାଇ ନାହିଁ।

Share