ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହାରି ଭିତରେ ଶୁଣିବାକୁ ମିଳିଥିଲା କି କ୍ରିକେଟର ହରଭଜନ ସିଂ ଏଥର ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ହେଲେ ଏହି ଖବରକୁ ଏବେ ଖଣ୍ଡନ କରିଛନ୍ତି ହରଭଜନ । ସେ କହିଛନ୍ତି ଏହା ଭୁଲ ଖବର । ସେ କୌଣସି ରାଜାନୌତିକ ଦଳ ସହ ସାମିଲ ହେଉ ନାହାନ୍ତି । ଶୁଣିବାକୁ ମିଳିଥିଲା କି କେବଳ ହରଭଜନ ନୁହେଁ ଯୁବରାଜ ସିଂ ବି ରାଜନୀତିକୁ ଆସିବେ । ଅବଶ୍ୟ ଏପର୍ଯ୍ୟନ୍ତ ଯୁବରାଜଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ପୂର୍ବରୁ ଏକ ସାକ୍ଷାତ୍କାରରେ ହରଭଜନ କହିଥିଲେ ତାଙ୍କୁ ଯଦି କୌଣସି ଦଳ ଅଫର କରେ ତେବେ ସେ ଏହା ଗ୍ରହଣ କରିବେ । ଏହାକୁ ଦୃଷ୍ଟିରେ ରଖି ଏବେ ଏହି ଖବର ଶୁଣିବାକୁ ମିଳୁଥିଲା । ଏହାସହ କୁହାଯାଉଥିଲା କି ଚଳିତ ବର୍ଷ ହରଭଜନ ସମସ୍ତ କ୍ରିକେଟରୁ ସନ୍ୟାସ ନେଇ ରାଜନୀତିରେ ଯୋଗଦେବେ । ହେଲେ ଏହାକୁ ଏବେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ହରଭଜନ ।