ପଟ୍ଟନାୟିକିଆ ଛକରେ ତିନିଭାଇଙ୍କ ହତ୍ୟା ଘଟଣା:ଅଭିଯୁକ୍ତଙ୍କୁ ଧରିବାକୁ ୩ ସ୍ବତନ୍ତ୍ର ଟିମ୍‌ର ଚଢ଼ାଉ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ତିନୋଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପିପିଲି ଏସ୍‌ଡିପିଓ, ସତ୍ୟବାଦୀ ଓ ପିପିଲି ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳ ପଟ୍ଟନାୟିକିଆ ଛକ ଓ ମୃତ ୩ ଭାଇଙ୍କ ଗ୍ରାମ ସଦାନନ୍ଦପୁରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ସୋମବାର ଉତ୍ତ୍ୟକ୍ତ ଲୋକେ ଗ୍ରାମର ଶଙ୍କର ବେହେରାଙ୍କ ଘର ପୋଡିଦେଇଥିବା ଜଣାପଡିଛି। ପଟ୍ଟନାୟିକିଆ ଛକରେ ସୋମବାର ଦିନବେଳା କେତେକ ଦୋକାନ ଖୋଲିଥିବାବେଳେ ସନ୍ଧ୍ୟାରେ ସବୁ ଶୂନ୍‌ଶାନ ରହିଛି। ଉଭୟ ଗୋଷ୍ଠୀର ଭୟରେ ଘଟଣା ସମ୍ପର୍କରେ ପୋଲିସ ନିକଟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ମୃତ ପୂର୍ଣ୍ଣ ବେହେରା ଓ କୃଷ୍ଣ ବେହେରାଙ୍କ ବଡ଼ଭାଇ ଲକ୍ଷ୍ମୀଧର ବେହେରାଙ୍କ ପୁଅ ପ୍ରଶାନ୍ତ ପୋଲିସ ନିକଟରେ ଅଭିଯୋଗ କରିବା ପରେ ସତ୍ୟବାଦୀ ଥାନାରେ ୧୧୪/୧୯ନମ୍ବର ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ସକାଳେ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଥିବା ଥାନା ଆଇଆଇସି ତପନ କୁମାର ରାଉତ କହିଛନ୍ତି।
ପ୍ରକାଶ ଯେ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୩ ଭାଇ ପୂର୍ଣ୍ଣ, କୃଷ୍ଣ ଓ ସେମାନଙ୍କ ଦାଦାପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ହତ୍ୟା କରିଥିଲେ। ଏହାପଛରେ ରାଜନୈତିକ, ବ୍ୟବସାୟିକ ଶତ୍ରୁତା ଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ପୂର୍ବ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା କହିଛି।

Share