ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା ଘଟଣା: ୬ଜଣଙ୍କୁ ଗିରଫ କଲା ସତ୍ୟବାଦୀ ପୋଲିସ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ୍‌ ମର୍ଡର ଘଟଣାରେ ମଙ୍ଗଳବାର ପୋଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁବଳ ବେହେରା, ଶଙ୍କର ବେହେରା, ଭିକାରୀ ବେହେରା, ହରିହର ବେହେରା, ସଦାଶିବ ବେହେରା, ମନୁଆ ବେହେରା। ସେମାନଙ୍କଠାରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସା, ଭୁଜାଲି, ଚାପଡ଼ ଆଦି ମାରଣାସ୍ତ୍ର ଜବତ କରିଛି। ସେହିଭଳି ଅନ୍ୟ ୬ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ କହିଛି। ସେମାନଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଏବଂ ପିପିଲି ଥାନା ଆଇଆଇସି ଶରତ ସାହୁଙ୍କ ନେତୃତ୍ୱରେ ଗଠିତ ହୋଇଥିବା ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଦୁର୍ବୃତ୍ତମାନେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୩ ଭାଇ ପୂର୍ଣ୍ଣ ବେହେରା, କୃଷ୍ଣ ବେହେରା ଏବଂ ସେମାନଙ୍କ ଦାଦା ପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ହତ୍ୟା କରିଥିଲେ। ଏହା ପଛରେ ରାଜନୈତିକ, ବ୍ୟବସାୟିକ ଶତ୍ରୁତା ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ପୂର୍ବ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା କହୁଛି। ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Share