Categories: ଖେଳ

ପଡ଼ିଆରେ ଅଭ୍ୟାସ କଲେ ରୋହିତ, କୋହଲି

କଲମ୍ବୋ,୨୯ା୭: ଅଗଷ୍ଟ ୨ରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେଜଣ ଖେଳାଳି ସୋମବାରଠାରୁ ସେମାନଙ୍କ ଅଭ୍ୟାସ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧୀନରେ ଭାରତୀୟ ଟି୨୦ ଟିମ୍‌ ମଙ୍ଗଳବାର ପାଲିକେଲଠାରେ ଏହାର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳିବ। ରୋହିତ, କୋହଲି ଏବଂ ହର୍ଷିତ ରାଣାଙ୍କ ଭଳି ଅନ୍ୟ କେତେଜଣ ଯୁବ ଖେଳାଳି ରବିବାର କଲମ୍ବୋରେ ପହଞ୍ଚିଛନ୍ତି।

ଆମେରିକାରେ ଭାରତ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ୍‌ ଜିତିବା ପରଠାରୁ ରୋହିତ, କୋହଲି ଓ କୁଲଦୀପ ପାଖାପାଖି ଏକ ମାସ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ପାଇଁ ଶ୍ରେୟସ ଆୟର ଜାତୀୟ ଦଳକୁ ଫେରିବେ। ଆୟର ଶେଷ ଥର ପାଇଁ ଏକ ସୀମିତ ଓଭର ମ୍ୟାଚ ଗତ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ।

ଭାରତୀୟ ଦଳରେ ଦିଲ୍ଲୀ ଅଲରାଉଣ୍ଡର ରାଣାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଚଳିତବର୍ଷ ପ୍ରାରମ୍ଭରେ ଆଇପିଏଲ୍‌ ଚାମ୍ପିୟନ ହୋଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଖେଳାଳିମାନେ କଲମ୍ବୋରେ ଭାରତର ସହକାରୀ କୋଚ୍‌ ଅଭିଷେକ ନାୟରଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି। ସମସ୍ତ ତିନୋଟି ଯାକ ଅନ୍ତର୍ଜାତୀୟ ଦିନିକିଆ ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ ଅଗଷ୍ଟ ୨ରେ ଖେଳାଯିବାକୁଥିବା ବେଳେ ୨ୟ ଓ ୩ୟ ଦିନିକିଆ ଯଥାକ୍ରମେ ଅଗଷ୍ଟ ୪ ଓ ୫ରେ ଖେଳାଯିବ।

Share