ପଡ଼ିଆ ଆଶାକର୍ମୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ

ପଡ଼ିଆ,୨୫ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି। ଫଳରେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ନିଦ ହଜାଇଦେଇଛି କରୋନା। ପଡ଼ିଆ ବ୍ଲକର ବାପନପାଲି ପଞ୍ଚାୟତ ମୋଟାଗୁଡ଼ା ଗ୍ରାମର ଆଶାକର୍ମୀଙ୍କ ପଜିଟିଭ ବାହାରିଥିବାରୁ ବ୍ଲକବାସୀ ଚିନ୍ତାରେ ପଡ଼ିଛନ୍ତି। ଆଶାକର୍ମୀ ଜଣକ ଗତ ୨୨ରେ ସିନାକାଟା ଗ୍ରାମରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେ ରୋଡନପାଲି , ମୋଟାଗୁଡ଼ା, ମୁଲିଗୁଡ଼ା ଗ୍ରାମରେ ନିଜ ଡିୟୁଟି କରନ୍ତି । ବାହାରକୁ କୁଆଡ଼େ ଯାଇନାହାନ୍ତି। କୌଣସି ଲକ୍ଷଣ ମଧ୍ୟ ତାଙ୍କ ନିକଟରେ ଦେଖାଦେଇ ନ ଥିଲା। ଏହା ସତ୍ତ୍ୱେ ତାଙ୍କର କିପରି ପଜିଟିଭ ବାହାରିଲା ସେନେଇ ସରପଞ୍ଚ ନିର୍ମଦା କାମରାମି, ବିଡିଓ ରଘୁନାଥ ମୁଣ୍ଡଲି ଚିନ୍ତାରେ ପଡିଛନ୍ତି। ଖବର ପାଇ ମୋଟାଗୁଡା ଗ୍ରାମକୁ ଉପଜିଲାପାଳ ରାମେଶ୍ୱର ପ୍ରଧାନ, ସରପଞ୍ଚ କାମରାମି, ବିଡିଓ ମଣ୍ଡାରି ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଗ୍ରାମରେ ପହଞ୍ଚତ୍ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହ ସମ୍ପୂର୍ଣ୍ଣ ସିଲ୍‌ କରି ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶାକର୍ମୀଙ୍କ ସ୍ବାମୀ, ସନ୍ତାନ ଓ ସମ୍ପର୍କୀୟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଅନ୍ୟପକ୍ଷରେ ବୋଡନପାଲି ଗ୍ରାମବାସୀ ସିଲାକାଟାକୁ ସଂଯୋଗ କରିଥିବା ମୁଖ୍ୟରାସ୍ତା ଉପରେ ବାଡ଼ ପକାଇ ଦେଇଛନ୍ତି । ଫଳରେ ଗ୍ରାମର କୌଣସି ଲୋକ ବାହାରକୁ ଯାଇପାରିବେନି କିମ୍ବା ବାହାରୁ କେହି ଗ୍ରାମ ଭିତରକୁ ଆସିପାରିବେ ନାହିଁ।