ପଡ଼ିଆ ବ୍ଲକ୍‌ ଅଞ୍ଚଳରେ ମାତିଲେଣି ପଙ୍ଗପାଳ

ପଡ଼ିଆ,୧ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ବ୍ଲକ ଅଞ୍ଚଳରେ ପଙ୍ଗପାଳଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପଙ୍ଗପାଳକୁ ନେଇ ସରକାର ଚାଷୀଙ୍କୁ ସତର୍କ ରହିବା ପାଇଁ କହିଥିବା ବେଳେ ଏହି ପଙ୍ଗପାଳ ଜିଲାର ସୀମାନ୍ତରେ ପହଞ୍ଚତ୍ ସାରିଛି। ତେବେ ବର୍ତ୍ତମାନ ଚାଷୀମାନଙ୍କର କୌଣସି ଫସଲ ନ ଥିବାରୁ ପଙ୍ଗପାଳଙ୍କ ଅରଖଗଛର ପତ୍ର ଖାଦ୍ୟ ପାଲଟିଛି। ରାସ୍ତାକଡରେ ଥିବା ଏହି ଗଛକୁ ଖାଇ ଲଣ୍ଡା କରିଦେଉଛନ୍ତି । ଏହି ଅରଖଗଛର ଗୋଟିଏ ବୁଦାରେ କୋଡ଼ିଏରୁ ୩୦ଟି ଡାଳ ବାହାରିଥାଏ। ପଙ୍ଗପାଳ ଏକାଠି ଗୋଟିଏ ବୁଦାରେ ବସି ଖାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପଙ୍ଗପାଳ ଯୋଗୁ ଅଞ୍ଚଳର ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି। ଏବେଠାରୁ ଏଗୁଡିକୁ ଦମନ ନ କଲେ ଆଗାମୀ ଦିନରେ ଚାଷକାମ ଆରମ୍ଭ କରିବା କଷ୍ଟକର ହୋଇପଡିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ଜିଲା କୃଷି ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ସେ କହିଛନ୍ତି ଯେ, ଆମେ ଏହା ଉପରେ ନଜର ରଖିଛୁ। ଏ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଛୁ। ଏହାକୁ କିପରି ଦମନ କରାଯାଇପାରିବ ପ୍ରତି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ମେସେଜ ମାଧ୍ୟମରେ ଜଣାଇଛୁ। ଏ ଦିଗରେ ଆଉ କ’ଣ ସବୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ବିଭାଗୀୟ ନିଷ୍ପତ୍ତି ଆସିଲେ ଚାଷୀଙ୍କୁ ଜଣାଇବୁ ବୋଲି କୃଷି ଅଧିକାରୀ କହିଥିଲେ।