ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲକ୍‌ଡାଉନ୍‌। ଦେକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ପଡୁଛି। ଏପରିସ୍ଥଳେ ଲକ୍‌ଡାଉନ୍‌କୁ ସବୁ ସ୍ତରରେ ସମର୍ଥନ ରହିଛି ସତ, ତେବେ ଗରିବ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖାଗଲାଣି। ଏଥିରୁ ଫାଇଦା ଉଠାଇବାକୁ କେତେଜଣ ବ୍ୟବସାୟୀ ପଛାଉନାହାନ୍ତି। ସବୁ ସାମଗ୍ରୀର ଦରଦାମ୍‌ ବୃଦ୍ଧି କଲେଣି। ବିଶେଷକରି ବଜାରରେ ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ପରିବହନ ସମସ୍ୟା ବୋଲି କୁହାଯାଉଛି। ତେବେ ପରିବହନ ପାଇଁ କଟକଣା ନ ଥିଲେ ସୁଦ୍ଧା ଦୂର ଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକ୍‌ଗୁଡ଼ିକ ରାସ୍ତାରେ ଚକାରେ ପ୍ରେସର ଦେବା ଏବଂ ଟାୟାରପମ୍ପଚର ହେଲେ ଏହାକୁ ସଜାଡ଼ିବା ପାଇଁ ଦୋକାନ ବନ୍ଦ ରହିଥିବାରୁ ସେମାନେ ଆସିବାକୁ ନିରାପଦ ମନେ କରୁନାହାନ୍ତି। ଗାଡ଼ି ମୋଟରରେ ତ୍ରୁଟି ଦେଖାଦେଲେ ସେମାନେ ନାହିଁ ନ ଥିବା ହଇରାଣ ହେବେ ମନେକରି ସାମଗ୍ରୀ ଧରି ଆସିବାକୁ ପଛଘୂଞ୍ଛା ଦେଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗୋପାଳନ କରି ଚଳୁଥିବା ଦୁଗ୍ଧ ଚାଷୀ ବେଶି ହଇରାଣ ହେଉଛନ୍ତି। ସେମାନେ କ୍ଷୀର ବିକ୍ରି କରିପାରୁନାହାନ୍ତି। ମିଠା ଦୋକାନ, ହୋଟେଲଗୁଡ଼ିକ ବନ୍ଦଥିବାରୁ କ୍ଷୀର ଆବଶ୍ୟକ ପରିମାଣରେ ବିକ୍ରି ହୋଇପାରୁ ନାହିଁ। ଲକ୍‌ଡାଉନ୍‌ ହେତୁ କୁଲି ମଜୁରି କରି ଚଳୁଥିବା ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କାମଧନ୍ଦା ମିଳୁନାହିଁ। ସେମାନଙ୍କ ପରିବାରରେ ଏବେ ଆର୍ଥତ୍କ ସଙ୍କଟ ଜଟିଳ ହେବାରେ ଲାଗିଛି।

Share