ପଣପଣା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ବାହାନଗା, ୮।୬(ଡି.ଏନ.ଏ.)-ବିକ୍ରି ହୋଇଥିବା ଧାନର ପ୍ରାପ୍ୟ ପାଇଁ ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ଆଗରେ ଶୁକ୍ରବାର ଚାଷୀମାନେ ଧାରଣା ଦେଇଥିଲେ। ୧୫ ଦିନ ପରେ ଚାଷୀମାନଙ୍କୁ ଟଙ୍କା ଦିଆଯିବ ବୋଲି ସମିତି ସମ୍ପାଦକ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏହି ସମବାୟ ସମିତି ମାଧ୍ୟମରେ ଚଳିତବର୍ଷ ଜାନୁୟାରୀ ଓ ଫେବୃୟାରୀରେ ୧୮୭ଜଣ ଚାଷୀଙ୍କଠାରୁ ମିଲର ଧାନ କିଣିଥିଲେ। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନେ ବିକ୍ରି ଧାନର ପ୍ରାପ୍ୟ ପାଇନାହାନ୍ତି ା ବାରମ୍ବାର ସମିତିକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଏପ୍ରିଲ୍‌ ୬ ତାରିଖରେ ଚାଷୀମାନେ ସମିତି ଆଗରେ ବିକ୍ଷୋଭ କରିବା ସହିତ ଘେରାଉ କରିଥିଲେ। ତେବେ ଚାଷୀମାନଙ୍କ ଏଭଳି ହଟ୍ଟଗୋଳ ଦେଖି ସମିତି ସମ୍ପାଦକ ପ୍ରଦୀପ ଦାସ ଓ ସଭାପତି ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ କର୍ମଚାରୀମାନେ ଧାନ କିଣିଥିବା ମିଲର ମାଲିକଙ୍କୁ ଡକାଇଥିଲେ। ତେବେ ମିଲର ମାଲିକ ଓ ମ୍ୟାନେଜର ଆସି ଦୁଇ କିସ୍ତିରେ ସରକାରୀ ୧୭ଶହ ୫୦ ଟଙ୍କା ଦରରେ ସମସ୍ତ ଚାଷୀଙ୍କୁ ଖୁବ୍‌ଶୀଘ୍ର ଟଙ୍କା ପ୍ରଦାନ କରିବେ ବୋଲି ଏଗ୍ରିମେଣ୍ଟ କରିବା ପରେ ଚାଷୀମାନେ ଶାନ୍ତ ପଡି ଘରକୁ ଫେରିଥିଲେ ା ମାତ୍ର ଏଗ୍ରିମେଣ୍ଟ ହେବାର ୨ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ସେମାନଙ୍କ ପ୍ରାପ୍ୟ ପାଇପାରିନାହନ୍ତି। ଅନ୍ୟପକ୍ଷରେ ୩ହଜାର କୁଇଣ୍ଟାଲ ରବିଧାନ ଚାଷୀଙ୍କଠାରୁ କିଣିବା ପାଇଁ ପ୍ରଶାସନ ସମିତିକୁ ନିର୍ଦ୍ଦେଶ ଦେଇଛି ା ସେଥିପାଇଁ ସମିତିର କର୍ମଚାରୀମାନେ ଧାନ କିଣିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ପୂର୍ବରୁ ଧାନ ବିକ୍ରି କରି ପ୍ରାପ୍ୟ ପାଇ ନ ଥିବା ଚାଷୀମାନେ ଜାଣିପାରି ଆମ ଟଙ୍କା ଶୀଘ୍ର ଦିଅ ନଚେତ୍‌ ଆମେ ଧାରଣା ଦେଉଛୁ କହି ୨ ଘଣ୍ଟା କାଳ ବସି ରହିଥିଲେ ା