ପଣା ପିଇ ୨୬ ଅସୁସ୍ଥ

ଭଣ୍ଡାରିପୋଖରୀ,୧୩ା୪(ଡ଼ି.ଏନ୍‌.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣା ପଡ଼ିଛି। ପଣା ସଂକ୍ରାନ୍ତି ଉପଲକ୍ଷେ ଗ୍ରାମ ଦେବତୀ ମା‘ ବୁଢିିଜାଗୁଳାଇଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପଣା ପ୍ରସ୍ତୁତି ହୋଇ ଗ୍ରାମର କିଛି ଲୋକ ପିଇ ଥିଲେ। ଅପରାହ୍ନରେ ପିଲାମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଗ୍ରାମବାସୀ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡ଼ିଛି। ଖବର ପାଇ ପି.ଡ଼ି ଡିଆରଡିଏ ମଧୁସୂଦନ ଦାସ, ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ମେଡିକାଲ ଅଫିସର କମଳା କାନ୍ତ ସ୍ବାଇଁ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥଙ୍କୁ ଭେଟିଛନ୍ତି।