Advertisement

ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ବିନାୟକଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ସାହିତ୍ୟର ଅମୂଲ୍ୟ ରତ୍ନ

ନୟାଗଡ଼ ଅଫିସ,୩ା୯- ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ସୋମବାର ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍‌ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଖବରଦାତା ପ୍ରଦୀପ୍ତ କୁମାର ପଟ୍ଟନାୟକ, ଖଡ଼ଗପୁର କଲେଜର ସହକାରୀ ଅଧ୍ୟାପକ ଡ. ଜଗମୋହନ ଆଚାର୍ଯ୍ୟ, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏବଂ ସାହିତ୍ୟ ଏକାଡେମୀର ସଦସ୍ୟ ନିର୍ମଳ ଚନ୍ଦ୍ର ଶୁରଦେଓ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ୧୮୯୪ ମସିହା ଗଣେଶ ଚତୁର୍ଥୀରେ ଜିଲାର ଶରଣକୁଳ ଗ୍ରାମର ମାଳିସାହିଠାରେ ପଣ୍ଡିତ ବିନାୟକ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିନାୟକ ମିଶ୍ର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ । ଓଡ଼ିଆ ସାହିତ୍ୟରେ ଅନନ୍ୟ ସାରସ୍ବତ ସ୍ରଷ୍ଟା ବିନାୟକଙ୍କ କାଳଜୟୀ ସୃଷ୍ଟି ଏବଂ ସାହିତ୍ୟ, ଇତିହାସ, ସଂସ୍କୃତ ଦିଗରେ ତାଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ କରାଯାଇଥିବା ବକ୍ତୃତାମାଳା ଏବଂ କବିତା ଆବୃତ୍ତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜିଲାସ୍ତରୀୟ କବିତା ଆସରରେ କବି ଓ କବିୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ। ତଥାସ୍ତୁର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share