Categories: ଜାତୀୟ

ପତଞ୍ଜଳିର କରୋନା ଔଷଧ ବିଜ୍ଞାପନ ଉପରେ ରୋକ, ପରୀକ୍ଷା ନେଇ ତଥ୍ୟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ପକ୍ଷରୁ କରୋନା ଔଷଧ ବାହାର କରାଯାଇଥିବା ମଙ୍ଗଳବାର ଦାବି କରାଯାଇଛି। ଏହାର ନାମ କମ୍ପାନୀ ପକ୍ଷରୁ ରଖାଯାଇଛି ‘କରୋନିଲ୍‌’। ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ ସବିଶେଷ ତଥ୍ୟ ମଗାଯାଇଛି। ଏପରିକି ଔଷଧର ପରୀକ୍ଷା ସରିବା ଯାଏ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନିଲ୍‌ ସେବନ ଦ୍ୱାରା ଶତ ପ୍ରତିଶତ କରୋନାର ଉପଚାର କରିହେବା ପ୍ରଚାର କରିବା ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍‌ ରିମେଡିଜ୍‌(ଆପତ୍ତିଜନକ ବିଜ୍ଞାପନ) ନିୟମର ଉଲ୍ଲଂଘନ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ହରିଦ୍ୱାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାବା ରାମଦେବ କରୋନିଲ୍‌ ଔଷଧକୁ ଲଞ୍ଚ କରିଥିଲେ। କରୋନାକୁ ହରାଇବା ପାଇଁ ଏହା ସମ୍ପୂର୍ଣ୍ଣ ସକ୍ଷମ। ଔଷଧକୁ ଦୁଇଥର ଟ୍ରାଏଲ୍‌ କରାଯାଇଛି। ଏଥିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ଶହେ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ। ଜଣଙ୍କର ମୃତ୍ୟୁ ଘଟିଥିଲା। ପରୀକ୍ଷଣର ୩ ଦିନ ମଧ୍ୟରେ ୬୯% ରୋଗୀ ସୁସ୍ଥ ହୋଇଥିଲେ। ଯାହାକି ଇତିହାସରେ ସବୁଠାରୁ ବଡ଼ ଘଟଣା ବୋଲି ରାମଦେବ କହିଥିଲେ। ସେହିଭଳି ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ସେ କହିଥିଲେ।

Share