Categories: ଅନୁଗୋଳ

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗାଁ ଗହଳିରେ ଅବସ୍ଥା ସଙ୍ଗିନ ହୋଇପଡିଛି। ନିର୍ଧୂମ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି। ଯେତିକି ସମୟ ରହୁଛି ଲୋ ଭୋଲଟେଜ ଯୋଗୁ ବିଦ୍ୟୁତ୍‌ ନ ଥିବା ଭଳି ଅବସ୍ଥା ହେଉଛି। ଏଥିରୁ ଡାକ୍ତରଖାନା, ବ୍ୟାଙ୍କ ବି ବାଦ ପଡୁନି। ସାମାନ୍ୟ ପବନରେ ବି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ବିଗିଡିଯାଇଥିବା କହି ବିଭାଗୀୟ କର୍ମଚାରୀ ଦାୟିତ୍ୱରୁ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ଏପରିକି ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀମାନେ ଫୋନ ନ ଉଠାଉ ଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ସହର ସମେତ ଉପକଣ୍ଠରେ ବିଜୁଳି ସମସ୍ୟା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଥରେ ବିଦ୍ୟୁତ୍‌ କାଟ ହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏପରି କି ସନ୍ଧ୍ୟାରେ ସାମାନ୍ୟ ପବନରେ ପତ୍ର ହଲିବାକ୍ଷଣି ହିଁ ବିଜୁଳିର ଦେଖା ମିଳୁନି। ଫଳରେ ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଡାକ୍ତରଖାନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଓ୍ବାର୍ଡରୁ ବାରଣ୍ଡାକୁ ନେଇଆସୁଛନ୍ତି। ଲୋକେ ବାରମ୍ବାର ବିଭାଗୀୟ କର୍ମଚାରୀଙ୍କୁ ଫୋନ୍‌ କରି ନୟାନ୍ତ ହେଉଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି। ବିଦ୍ୟୁତ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ସେହିପରି ସହରସ୍ଥିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ମଧ୍ୟ ସମାନ ଅବସ୍ଥା। ବିଦ୍ୟୁତ୍‌ କାଟ ହେଲେ ଜେନେରେଟର ଲଗାଯାଉ ନ ଥିବାରୁ ପ୍ରବଳ ଗରମରେ ଉପଭୋକ୍ତାମାନେ ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। ବ୍ୟାଙ୍କକୁ ଆସୁଥିବା ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ସେସୁର ଡେପୁଟି ମ୍ୟାନେଜର ଦୀପକ କୁମାର ବିଆରସିଂହଙ୍କୁ ପଚାରିବାରେ କହିଛନ୍ତି, ଦିନରେ ଓଭର ଲୋଡିଂ କାରଣରୁ ବିଦ୍ୟୁତ ସମସ୍ୟା ଦେଖାଦେଉଛି। ଖରାଦିନରେ ଏହି ସମସ୍ୟା ଦେଖାଯିବା ସ୍ବାଭାବିକ। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ହେଉଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡୁଛି। ମରାମତି କରି ବିଦ୍ୟୁତ ସଂଯୋଗ ଦେବାରେ ବିଳମ୍ବ ହେଉଥିବା ସେ କହିଛନ୍ତି।